ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ନେଇ ଜୋରଧରିଲା ରାଜନୀତି!

ସୁନ୍ଦରଗଡ଼ : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଓ ଘୋଷଣା ସତ୍ତ୍ୱେ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ପୁଣି ରାଉରକେଲା ରାଜନୀତି ହୋଇଉଠିଛି ସରଗରମ। ଏହାକୁ ନେଇ ପାନପୋଷଠାରେ କଂଗ୍ରେସ ଧାରଣା ଦେଇଥିବା ବେଳେ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ।

ଚିଠିରେ ବ୍ରାହ୍ମଣୀ ସେତୁକୁ ନେଇ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ଓ ଘୋଷଣାକୁ ମନେ ପକାଇଦେଇଛନ୍ତି ବିଧାୟକ ଦିଲ୍ଲୀପ ରାୟ। ୨୦୧୪ ନିର୍ବାଚନ ପୂର୍ବରୁ ଦ୍ୱିତୀୟ ସେତୁ ର୍ନିମାଣ ପାଇଁ ପ୍ରତିଶୁତି ଦେଇଥିଲେ ମୋଦି ସରକାର। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆସି ସେତୁର ଶିଳାନ୍ୟାସ କରିଛନ୍ତି। ଏହାରି ଭିତରେ ଚାରି ବର୍ଷ ବିତି ଗଲାଣି ହେଲେ ସେତୁକାମ ଆରମ୍ଭ ହୋଇପାରୁନି। ସେପଟେ ପୁରୁଣା ସେତୁର ମରାମତି କାମ କରାଯାଉଥିବା ବେଳେ ଦ୍ୱିତୀୟ ସେତୁ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଉରକେଲାବାସୀ।

ଫରେଷ୍ଟ କ୍ଲିୟରାନ୍‌ସ ପାଇଁ ବିଳମ୍ବ ଯୋଗୁଁ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପାନପୋଷରେ ଧାରଣା ଦେଇଛି। ଅନ୍ୟପଟେ କଂଗ୍ରେସର ଏହି ଆରୋପକୁ କୁମ୍ଭୀର କାନ୍ଦଣା ବୋଲି କହିଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ସେତୁକୁ ନେଇ ରାଜନୀତି କରାଯାଉଛି । ତିନି ଦଳ ମଧ୍ୟରେ ରାଜନୀତିକୁ ନେଇ ଅଧାରେ ପଡ଼ିଛି ସେତୁ ନିର୍ମାଣ କାର୍ଯ୍ୟ। କେବେ ଦ୍ୱିତୀୟ ସେତୁ ନିର୍ମାଣ ହେବ ତା’ରି ଉପରେ ରହିଛି ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର