ଭୋଟ ବର୍ଜନ କରିବେ ରଘୁନାଥପାଲିର ୫୦୦୦ ଭୋଟର:ନାଲିଫିତା ତଳେ ପଡ଼ିରହିଛି ରିପୋର୍ଟ

ରାଉରକେଲା: ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ଗାଁର ୫ ହଜାରରୁ ଅଧିକ ଭୋଟର। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ବେଳେ ବିସ୍ଥାପିତ ହୋଇଥିବା ଲୁଆକେରା, ତୁମକେଲା, ହମିରପୁର, ଟାଙ୍ଗରପାଲି, ରେଙ୍ଗାଡି ଓ ଝାରମୁଣ୍ଡା ଗାଁର ବାସିନ୍ଦା ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗରପାଲିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ସେଥିରେ ଉକ୍ତ ୬ଟି ଗାଁର ପ୍ରତିନିଧିତ୍ବ କରୁଥିବା ଲଛୁ ଓରାମ, ମାଙ୍ଗ୍ରା ଓରାମ, ରାମ ଓରାମ, ଦେବାନନ୍ଦ ରାଉତିଆ, ସୁଶୀଲ ଓରାମ, ସଙ୍ଗୀତା ଓରାମ ଓ ସୀତା ଓରାମଙ୍କ ନେତୃତ୍ବରେ ଶତାଧିକ ପୁରୁଷ ଓ ମହିଳା ସେମାନଙ୍କ ପିଲାଛୁଆଙ୍କ ସହ ସାମିଲ ହୋଇଥିଲେ। ସେମାନେ ମିଳିତ ସ୍ବରରେ କହିଛନ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଲୁଆକେରା, ତୁମକେଲା ଓ ହମିରପୁର ଗାଁକୁ ବିଶ୍ରା ବ୍ଳକ ଅନ୍ତର୍ଗତ ଝିରପାଣି ଏବଂ ଟାଙ୍ଗରପାଲି, ଝାରମୁଣ୍ଡା ଓ ରେଙ୍ଗାଡି ଗାଁକୁ ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି ପଞ୍ଚାୟତରେ ସାମିଲ କରାଯାଉ। ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ସେମାନେ ସମୂହ ଭୋଟ ବର୍ଜନ କରିବେ। କେବଳ ସେତିକି ନୁହେଁ, କୌଣସି ରାଜନୈତିକ ଦଳକୁ ସେମାନେ ନିର୍ବାଚନ ପ୍ରଚାର ପାଇଁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେବେନାହିଁ ବୋଲି ମଧ୍ୟ ସେମାନେ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ୬ଟି ଗାଁର ଲୋକମାନଙ୍କର ଏହି ଭୋଟ ବର୍ଜନ ଧମକ ଏବେ ଉଭୟ ଜିଲ୍ଳା ପ୍ରଶାସନ ଓ ରାଜନୈତିକ ଦଳଗୁଡ଼ିକ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ଆରଏସ୍‌ପି ପ୍ରତିଷ୍ଠା ବେଳେ ବିସ୍ଥାପିତ ପରିବାରଗୁଡ଼ିକୁ ଲୁଆକେରା, ତୁମକେଲା, ହମିରପୁର, ଟାଙ୍ଗରପାଲି, ଝାରମୁଣ୍ଡା ଓ ରେଙ୍ଗାଡି ଗାଁରେ ଥଇଥାନ କରା ଯାଇଥିଲା। ଏହି ୬ଟି ଗାଁର ମୋଟ୍‌ ଲୋକ ସଂଖ୍ୟା ପ୍ରାୟ ୧୩ ହଜାର। ଏମାନଙ୍କ ମଧ୍ୟରୁ ଭୋଟରଙ୍କ ସଂଖ୍ୟା ୫ ହଜାରରୁ ଅଧିକ। ସେମାନଙ୍କୁ ମତଦାତାର ଅଧିକାର ତ ମିଳିଛି, ତା’ ସହିତ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରୁ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି। ଆର୍‌ଏସ୍‌ପି ପାନୀୟ ଜଳ ଓ ବିଦ୍ୟୁତ ସେବା ଯୋଗାଇ ଦେଉଛି। ତେବେ ଏହି ୬ ଗାଁକୁ ନିକଟସ୍ଥ ଦୁଇଟି ପଞ୍ଚାୟତରେ ସାମିଲ କରିବାର ଦାବି ନେଇ ପ୍ରତିନିଧିମାନେ ଗତ ୭ ମାସ ତଳେ ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କୁ ସାକ୍ଷାତ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ସେମାନଙ୍କୁ ପଞ୍ଚାୟତରେ ସାମିଲ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ୬ ଗାଁର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ତଦନ୍ତ କରି ଗତ ୨୦୧୮ ସେପ୍ଟେମ୍ବରରେ ଜିଲ୍ଲାପାଳଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ତା’ପରେ ମଧ୍ୟ ଉକ୍ତ ୬ଟି ଗାଁକୁ ପଞ୍ଚାୟତରେ ସାମିଲ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ୬ ଗାଁର ପ୍ରତିନିଧିମାନେ ବିର୍‌ସା କେର୍କେଟାଙ୍କ ନେତୃତ୍ବରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ନନ୍ଦ କୁମାର ସଏଙ୍କୁ ସାକ୍ଷାତ କରିଥିଲେ। ବର୍ଷ ବର୍ଷ ଧରି ମୌଳିକ ସୁବିଧା ସୁଯୋଗ ବଞ୍ଚିତ ‌ହେଉଥିବା ଏହି ୬ ଗାଁକୁ ନିକଟସ୍ଥ ଦୁଇଟି ପଞ୍ଚାୟତରେ ସାମିଲ କରିବାକୁ ଅନୁରୋଧ କରିଥିଲେ। ଜନଜାତି କମିଶନ ଅଧ୍ୟକ୍ଷ ଶ୍ରୀ ସଏ ଗତ ୨୦୧୯ ଜାନୁଆରି ୨୪ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ସମସ୍ୟାର ଖୁବ୍‌ ଶୀଘ୍ର ସ୍ଥାୟୀ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ଜନଜାତି କମିଶନ ଅଧ୍ୟକ୍ଷଙ୍କ ଚିଠି ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ସେମିତି ସରକାରଙ୍କ ନାଲି ଫିତା ତଳେ ଚାପି ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର