ରାଉରକେଲା ମେଡିକାଲ କଲେଜ : ସବୁ ସୁବିଧା ନେଲାପରେ ବି ପଛୁଆ

ରାଉରକେଲା : ରାଉରକେଲାରେ ମେଡିକାଲ କଲେଜ ଖୋଲିବା ପାଇଁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲୁଓଡିସି) ୨୫ ଏକର ଜମି ଓ ୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଥିଲା। ଏହି  ଜମି ଓ ଅର୍ଥରେ ବିଜ୍ଞାନ ଭାରତୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ହାଇଟେକ୍ ମେଡିକାଲ କଲେଜ ଖୋଲିଥିଲା।  ୨୦୧୧-୧୨  ଶିକ୍ଷା ବର୍ଷରୁ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ପାଠ ପଢିବା ପାଇଁ ନାମ ଲେଖାଇଥିଲେ।। କିନ୍ତୁ ୨୦୧୭-୧୮ ଓ  ୨୦୧୮-୧୯ ଶିକ୍ଷା ବର୍ଷରେ ଏହି କଲେଜରେ ନାମ ଲେଖାଇବା ପାଇଁ ମେଡିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆ (ଏମ୍‌ସିଆଇ) ଅନୁମତି ଦେଇ ନ ଥିଲା। ଆବଶ୍ୟକ ଭିତ୍ତିଭୂମି, ଯନ୍ତ୍ରପାତି, ଅନ୍ତଃ ଓ ବର୍ହି ବିଭାଗରେ ରୋଗୀ ସଂଖ୍ୟା, ମେଡିକାଲ ଶିକ୍ଷାଦାନ ପାଇଁ  ଅଧ୍ୟାପକ ଓ ବିଭିନ୍ନ ଉପକରଣ ନ ଥିବା ଦର୍ଶାଇ ଏମ୍‌ସିଆଇ ଏହି କଲେଜରେ ଶିକ୍ଷାଦାନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଫଳରେ ହାଇଟେକ୍‌ ମେଡିକାଲ କଲେଜରେ ପାଠ ପଢିବା ପାଇଁ ନାମ ଲେଖାଇଥିବା‌ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଥିଲେ। ତେବେ ଗତ ତିନି ମାସ ପୂର୍ବେ ଏମ୍‌ସିଆଇ ହାଇକେଟ୍ ମେଡିକାଲ କଲେଜକୁ ଆସି  ଯାଞ୍ଚ କରିବା ପରେ ପୁଣି ନାମଲେଖା ଓ ମେଡିକାଲ ପାଠପଢା ପାଇଁ ଅନୁମତି ପ୍ରଦାନ କରିଛି। ଆସନ୍ତା ୨୦୧୯-୨୦  ଶିକ୍ଷା ବର୍ଷରୁ ପୁଣି ହାଇଟେକ୍ ମେଡିକାଲ୍ କଲେଜରେ ନାମ ଲେଖା ହେବ।

ରାଉରକେଲାର ବିଭିନ୍ନ ସଂଗଠନ ପକ୍ଷରୁ ହେଉଥିବା ଅଭିଯୋଗ ଅନୁସାରେ ହାଇଟେକ୍‌ର ରାଉରକେଲା ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ବିଶେଷ ସୁବିଧା ନାହିଁ। ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀ ଏହି ମେଡିକାଲ୍‌ କଲେଜକୁ ଯାଉନାହାନ୍ତି। ଭିତ୍ତିଭୂମି ନ ଥିବାରୁ ରୋଗୀ ମେଡିକାଲ୍ କଲେଜ ହୋଇଥିବା ସତ୍ତ୍ବେ  ହାଇଟେକ୍ ଅପେକ୍ଷା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ହାଇଟେକ୍‌ରେ କେବଳ ବଡ଼ ବିଲ୍ଡିଂ ଅଛି କିନ୍ତୁ ଭିତରେ ରୋଗୀଙ୍କ ଚିକିତ୍ସା ପାାଇଁ ଆବଶ୍ୟକ ସୁବିଧା ନାହିଁ। ରାଉରକେଲା ସରକାରୀ ହାସ୍ପିଟାଲର ମୂଲ୍ୟବାନ ଜମି ଓ ୧୦ କୋଟି ଟଙ୍କା ବେସରକାରୀ କଲେଜକୁ ଦେଇ କାହାର ଲାଭ ହେଲାନାହିଁ ବୋଲି ଏହି ସଂଗଠନଗୁଡ଼ିକ କହୁଛନ୍ତି।

ଅପରପକ୍ଷେ ହାଇକେଟ୍ କତ୍ତୃର୍ପକ୍ଷଙ୍କ ଯୁକ୍ତି ହେଲା, ପୂର୍ବରୁ ଯାହା କିଛି ଅଭାବ ଅସୁବିଧା ଥିଲା, ତାହା ଏବେ ପୂରଣ ହୋଇଛି। ବିିଶେଷଜ୍ଞ ଡାକ୍ତର ଓ ଅଧ୍ୟାପକ ରାଜ୍ୟ ବାହାରୁ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ରୋଗୀଙ୍କ ଚିକିତ୍ସା ମଧ୍ୟ କରୁଛନ୍ତି। ଏଠାରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ଯନ୍ତ୍ରପାତି ଉପଲବ୍ଧ ହେଉଛି। ଚଳିତବର୍ଷ ପ୍ରକାଶିତ ମେଡିକାଲ କଲେଜ ପରୀକ୍ଷାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ବୁର୍ଲା ଓ ହାଇକେଟ୍ ମେଡିକାଲ କଲେଜ ମଧ୍ୟରୁ ରାଉରକେଲା କଲେଜର ଛାତ୍ରଛାତ୍ରୀ ବେଶ୍ ଭଲ ପ୍ରଦର୍ଶନ କରିବା ସହ ଟପ୍ ‌େଟନ୍ ତାଲିକାରେ ମଧ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର