ରାଉରକେଲା: ବିବାହିତ ଯୁବତୀ ପ୍ରେମିକ ସହିତ ନୋଏଡ଼ା ଫେରାର, ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା: ଜଣେ ବିବାହିତ ଯୁବତୀ ବିହାରୀ ପ୍ରେମିକ ସହିତ ଫେରାର ହେବାର ପ୍ରାୟ ଗୋଟିଏ ବର୍ଷ ପରେ ଉତ୍ତର ପ୍ରଦେଶର ନୋଏଡାରୁ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛି। ପରିବାର ଲୋକ ମୃତଦେହ ଆଣିବା ପାଇଁ ନୋଏଡା ଅଭିମୁଖେ ଯାଇଛନ୍ତି।

ରିପୋର୍ଟ ଅନୁସାରେ ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲ ଟାଉନସିପ୍‌ ଅଚଂଳର ମାନତୋଳା ବସ୍ତିର ସୋହନ ଟପୋଙ୍କ ଝିଅ ମୁମନ୍ତୀ ଟପୋ (୨୭) ଝାଡ଼ଖଣ୍ଡର ଲାପଙ୍ଗ ଅଂଚଳର ଶଙ୍କର ଟପୋ ନାଁରେ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ତଳେ ରାଉରକେଲାର ହନୁମାନ ବାଟିକାରେ ବିବାହ କରିଥିଲେ। ସୁମନ୍ତୀ ଗର୍ଭବତୀ ଥିବା ବେଳେ ସ୍ୱାମୀ ପରିତ୍ୟକ୍ତା ହୋଇ ନିଜ ବାପ ଘରେ ରହିବାକୁ ଲାଗିଲେ।

ଟେଲର କାମ କରୁଥିଲା ଇଦ୍ରିସ

ସ୍ୱାମୀ ଛାଡ଼ି ପଳାଇବା ପରେ ରାଉରକେଲା ନିବାସୀ ଇଦ୍ରିସ ଖାନ ନାଁରେ ଜଣେ ବିହାର ଭାଗଲପୁର ଅଂଚଳର ଜଣେ ଲୋକଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଇଦ୍ରିସ ଓ ସୁମନ୍ତୀ ଗତ ଦିପାବଳୀ ୬ ମାସ ପୂର୍ବରୁ ନୋଏଡ଼ା ଫେରାର ହୋଇ ଯାଇଥିଲେ। ସେଠାରେ ଇଦ୍ରିସ ଟେଲର କାମ କରୁଥିବା ବେଳେ ସୁମନ୍ତୀ ଲୋକଙ୍କ ଘରେ କାମ କରୁଥିଲେ। ସୁମନ୍ତୀ ଦିପାବଳୀର ୧୫ ଦିନ ପୂର୍ବରୁ ରାଉରକେଲା ଆସି ଏଠାରେ ପ୍ରାୟ ଗୋଟିଏ ସପ୍ତାହ ରହିଥିଲେ। ପରେ ସେ ନୋଏଡ଼ା ଫେରି ଯାଇଥିଲେ।

କବଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୁଲିସ

ସୁମନ୍ତୀର ମୃତଦେହକୁ ନୋଏଡ଼ା ପୁଲିସ ମଙ୍ଗଳବାର ଘର କବାଟ ଭାଙ୍ଗି ଜବତ କରିଥିଲା। ସ୍ଥାନୀୟ ଅଂଚଳର ଲୋକେ ଘର କବାଟ ଦୀର୍ଘ ସମୟ ଯାଏଁ ବନ୍ଦ ରହିବା ପରେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୂର୍ବରୁ ସୁମନ୍ତୀ ଜଣେ ପଡୋଶୀଙ୍କୁ ତାଙ୍କ ପିତାଙ୍କ ମୋବାଇଲ ନମ୍ବର ଦେଇଥିଲେ। ପୁଲିସ ପଡୋଶୀଙ୍କ ଠାରୁ ମୋବାଇଲ ନମ୍ବର ଆଣି ସୋହନ ଟପୋଙ୍କ ସହିତ ଯୋଗାଯୋଗ କରିଥିଲା। ଏବେ ପରିବାର ଲୋକେ ସୁମନ୍ତୀର ମୃତଦେହ ଆଣିବାକୁ ନୋଏଡା ଯାଇଥିବା ବେଳେ ସେମାନେ ହତ୍ୟା ଅଭିଯୋଗ ଆଣିଛନ୍ତି। ଇଦ୍ରିସ ଫେରାର ଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସୁମନ୍ତୀର ଏକ ବର୍ଷର ଶିଶୁ ପିତାଙ୍କ ନିକଟରେ ରହୁଛି। ସୁମନ୍ତୀର ମୃତ୍ୟୁ ଖବର ଜଣାପଡ଼ିବା ପରେ ମାନତୋଳା ସ୍ତବ୍ଧ ପାଲଟି ଯାଇଛି।

ସମ୍ବନ୍ଧିତ ଖବର