ରାଉରକେଲା: ରେଳବାଇ ଗାତରେ ପଡ଼ି ଛୁଆହାତୀ ମୃତ

ରାଉରକେଲା: ବୁଧବାର ରାତିରେ ମହିପାଣି ଲେବଲ୍‌ କ୍ରସିଂ ଠାରୁ ୨୦୦ ମିଟର ଦୂରରେ ତୃତୀୟ ଲାଇନ୍‌ ପାଇଁ ଖୋଳଯାଇଥିବା ଏକ ଗାଢ଼ରେ ପଡ଼ି ଗୋଟାଏ ହାତୀଛୁଆ ମରିଯାଇଛି।

ପ୍ରାୟ ତିନି ମାସ ବୟସର ଏଇ ଅଣ୍ଡିରା ହାତୀଛୁଆଟି ବିଶ୍ରା ରେଞ୍ଜ୍‌ ଅନ୍ତର୍ଗତ ମହିପାଣି ଜଙ୍ଗଲର ହାତୀ ପଲରେ ଥିଲା। ରାତି ପ୍ରାୟ ୧୧: ୩୦ରେ ୨ ଛୁଆ ସମେତ ୧୭ଟି ହାତୀ ସେବାଟେ ଯିବା ସମୟରେ କୌଣସି କାରଣରୁ ରେଳବାଇ ତରଫରୁ ଖୋଳାଯାଇଥିବା ଉକ୍ତ ଗାଢ଼ରେ ଏଇ ଟିକିହାତୀଟି ପଡ଼ି ଯାଇଥିଲା।

ପଲର ଅନ୍ୟ ହାତୀମାନେ ତାକୁ ଗାଢ଼ରୁ ବାହାର କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ପାରି ନ ଥିଲେ। ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଘଟନାସ୍ଥଳରେ ରାତି ୧: ୩୦ ପହଞ୍ଚିଥିଲେ। ବାଣ ଫୁଟାଇ, ନିଆଁହୁଳା ଦେଖାଇ ହାତୀପଲକୁ ମହିପାଣି ଜଙ୍ଗଲ ଭିତରକୁ ଘଉଡ଼ାଇ ଦେବା ପରେ ଗାଢ଼ ମଧ୍ୟରେ ପଡ଼ିଥିବା ଟିକିହାତୀକୁ ସେମାନେ ବାହାର କରିବାକୁ ଉଦ୍ୟମ କରିଥିଲେ। ରାତି ପ୍ରାୟ ୩ଟା ବେଳକୁ ସେମାନେ ହାତୀଛୁଆଟି ନିର୍ଜୀବ ଦେହକୁ ବାହାରକୁ ଆଣିଥିଲେ। କୌଣସି କାରଣରୁ ସେତେବେଳକୁ ଛୁଆହାତୀଟି ମରିଯାଇଥିଲା।

ଏବେ ମୃତ ହାତୀଛୁଆକୁ ବ୍ୟବଚ୍ଛେଦ କରାଯିବ। ଖବରପାଇ ରେଳବିଭାଗ ଅଧିକାରୀ ମଧ୍ୟ ଘଟନାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର