ସିଲେଇ ତାଲିମ କେନ୍ଦ୍ରରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଗିରଫ

ରାଉରକେଲା: ମହିଳା ଓ ଯୁବତୀମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ରାଉରକେଲାର ମହାନଗରରର ରଘୁନାଥପାଲି ପୁଲିସ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଏସ୍‌ବିଆଇର ଅଧିକାରୀ ରଞ୍ଜନ କୁମାର ନନ୍ଦୀ ତାଲିମ ଦେବା ବାହାନାରେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରୁଥିଲେ। ସେ ମହିଳା ଏବଂ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ। ଏପରିକି ମହିଳା ଏବଂ ଯୁବତୀମାନେ ଯେଉଁଠାରେ ତାଲିମ ନେଉଥିଲେ, ରାତିରେ ମଧ୍ୟ ଅଚାନକ ପହଞ୍ଚି ଯାଉଥିଲେ। ଗ୍ରାମୀଣ ଅଞ୍ଚଳରୁ ଆସିଥିବା ମହିଳାମାନେ ପ୍ରଥମେ ପ୍ରଥମେ କିଛି ଜାଣି ପାରୁ ନଥିଲେ ମଧ୍ୟ ପରେ ପରେ ଅଧିକାରୀ ରଞ୍ଜନ ନନ୍ଦୀଙ୍କ ବ୍ୟବହାର ତାଙ୍କୁ ଖରାପ ଲାଗିଥିଲା ଫଳରେ ସେମାନେ ଆଜି ପୂର୍ବାହ୍ନରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ।

ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ସେମାନଙ୍କୁ ତାଲିମ ଦେଉଛନ୍ତି। ମାତ୍ର କିଛି ଅଧିକାରୀଙ୍କ ଖରାପ ଦୃଷ୍ଟି ଯୋଗୁଁ ମହିଳାମାନଙ୍କ ସର୍ବନାଶ ମଧ୍ୟ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ବାଲିଶଙ୍କରା, କୁଅାଁରମୁଣ୍ଡା, ଲେଫ୍ରିପଡ଼ା, କୁତ୍ରା, ରାଜଗାଙ୍ଗପୁର, ନୂଅାଁଗାଁ ବ୍ଲକର ୩୪ ଜଣ ମହିଳା ଏବଂ ଯୁବତୀଙ୍କୁ ରାଉରକେଲାର ସିଭିଲ ଟାଉନ୍‌ସିପ୍‌ ଠାରେ ସିଲେଇ ତାଲିମ ଦିଆଯାଉଥିଲା। ଏହା ଥିଲା ଜିଲ୍ଲାର ୧୮୬ତମ ବ୍ୟାଚ୍‌। ଏହି ବ୍ୟାଚ୍‌ର ମହିଳାମାନେ ଗତ ଅକ୍ଟୋବର ୨୨ରେ ତାଲିମ କେନ୍ଦ୍ରକୁ ଆସିଥିଲେ। ଆଉ ୫ ଦିନ ପରେ ସେମାନଙ୍କ ତାଲିମ ପୂରା ହୋଇଥାନ୍ତା। ଏହା ପୂର୍ବର ଗତ ଅକ୍ଟୋବର ୨୯ରେ ଏଠାକୁ ବଦଳି ହୋଇ ଆସିଥିବା ଅଧିକାରୀ ରଞ୍ଜନ କୁମାର ନନ୍ଦୀ ସେମାନଙ୍କ ଉପରେ ଖରାପ ନଜର ପକାଇଥିଲେ।

ଗିରଫ ପରେ ରଞ୍ଜନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଗିରଫ ଅଧିକାରୀ କହିଛନ୍ତି, ନଜେ କିଛି ମନ୍ଦ ଉଦ୍ଦେଶ୍ୟ ରଖି ତାଲିମ କେନ୍ଦ୍ରକୁ ଯାଇ ନାହାନ୍ତି। ମହିଳା ଓ ଯୁବତୀଙ୍କୁ ଉପଯୁକ୍ତ ତାଲିମ ଦେବାକୁ ସେ ବୁଝାସୁଝା କରୁଥିଲେ। ପୁଲିସର ତଦନ୍ତକୁ ମୁଁ ସ୍ୱାଗତ କରୁଛି ଏବଂ ସବୁ ପ୍ରକାର ସହଯୋଗ କରିବି ବୋଲି ରଞ୍ଜନ କହିଛନ୍ତି।

ସମ୍ବନ୍ଧିତ ଖବର