ଭିଣୋଇ ମାଡ଼ରେ ଶାଳୀ ଗୁରୁତର:ପୁଲିସ ନିରବଦ୍ରଷ୍ଟା

ରାଉରକେଲା: ଶ୍ୱଶୁର ଘରର ଅକଥନୀୟ ନିର୍ଯ୍ୟାତନାର ଶିକାର ବଡ଼ଭଉଣୀଙ୍କୁ ରକ୍ଷା କରିବାକୁ ଯାଇ ଭିଣୋଇଙ୍କ ମାଡ଼ର ଶାଳୀ ଲହୁ ଲୁହାଣ ହୋଇଛନ୍ତିା। ଏମିତି ଅଭାବନୀୟ ଘଟଣା ଘଟିଛି ଛେଣ୍ଡକଲୋନୀରେ। ଶାଳୀ ରାଧାରାଣୀ ରାୟଙ୍କ ଲିଖିତ ଏତଲା ପରିବର୍ତ୍ତେ ଛେଣ୍ଡ ଥାନା ପୁଲିସ ତାଙ୍କ ବଡଭଉଣୀ ରଶ୍ମୀରେଖା ରାଉତଙ୍କ ଲିଖିତ ଆଧାରରେ ତାଙ୍କ ସ୍ୱାମୀ କ୍ଷୀରୋଦ କୁମାର ରାଉତ (କୁନା) ଓ ତାଙ୍କ ଭାଉଜ ରଶ୍ମିତା ରାଉତ ନାଁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କଳିଙ୍ଗ ବିହାରର ରୋହିତ ରାୟଙ୍କ ବଡ ଝିଅ ରଶ୍ମୀରେଖା ରାଉତ ଗତ ୨୦୦୯ରେ ଛେଣ୍ଡକଲୋନୀ ଏମ୍‌ଆଇଆଇସିଆର -୨୮ (ଫେଜ୍‌-୧)ର କ୍ଷୀରୋଦ କୁମାର ରାଉତ (କୁନା)ଙ୍କୁ ବିବାହ କରିଥିଲେ।

୨୦୧୦ରେ ରଶ୍ମୀରେଖା କନ୍ୟା ସନ୍ତାନ ଜନ୍ମ ଦେବା ପରଠାରୁ ସ୍ୱାମୀ କ୍ଷୀରୋଦ ଓ ତାଙ୍କ ଭାଉଜ ରଶ୍ମୀରେଖା ରାଉତ (କୁନି) ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଆରମ୍ଭ କରି ଦେଇଥିଲେ। ସ୍ୱାମୀ ନିର୍ଯ୍ୟାତନା ସହ୍ୟ କରି ନ ପାରି ରଶ୍ମୀରେଖା ଘଟଣା ସମ୍ପର୍କରେ ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ। ବାପା ରୋହିତ ରାୟ ଓ ମା’ କାଞ୍ଚନମଣି ଉଭୟ ଝିଅ ଘରେ ପହଞ୍ଚି ଜ୍ୱାଇଁ କ୍ଷୀରୋଧ ଓ ତାଙ୍କ ଭାଉଜ ରଶ୍ମିତାଙ୍କୁ ବୁଝାସୁଝା କରି ଫେରି ଯାଇଥିଲେ। କିଛି ମାସ ପରେ ପୁଣି ରଶ୍ମୀରେଖାଙ୍କ ଉପରେ ପୁଣି ନିର୍ଯ୍ୟାତନା ବଢ଼ି ଯାଇଥିଲା। ବଡ ଭଉଣୀଙ୍କ ନିର୍ଯ୍ୟାତନା ସମ୍ପର୍କରେ ଖବର ପାଇ ବାଙ୍ଗାଲୋରେ ରହୁଥିବା ରାଧାରାଣୀ ଗତ ସପ୍ତାହକ ତଳେ ନିଜ ଘର କଳିଙ୍ଗ ବିହାରକୁ ଆସିଥିଲେ। ଗତ ୨୩ ତାରିଖ ରାତି ପ୍ରାୟ ୮ଟାରେ ସେ ଭିଣୋଇ କ୍ଷୀରୋଧଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ଭିଣୋଇ କ୍ଷୀରୋଦ ତାଙ୍କ ଭଉଣୀ ରଶ୍ମିତାଙ୍କୁ ମାଡ଼ ମାରୁଥିବା ଦେଖି ପ୍ରତିବାଦ କରିଥିଲେ।

ଭିଣୋଇ କ୍ଷୀରୋଦ ଏଥିରେ ହସ୍ତକ୍ଷେପ କରିବାକୁ ତମେ କିଏ ବୋଲି କହି ରାଧାରାଣୀଙ୍କୁ ମାଡ଼ ମାରିଥିଲେ। ଗୁରୁତର ଆହତ ରାଧାରାଣୀ ରାତି ପ୍ରାୟ ୯ଟାରେ ଛେଣ୍ଡ ଥାନାରେ ପହଞ୍ଚି ଭିଣୋଇଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ରାଧାରାଣୀଙ୍କ କହିବାନୁଯାୟୀ ଥାନା ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ନଯାଇ ଚିକିତ୍ସା ହୋଇ ଆସ ବୋଲି କହିଥିଲେ। ଏପରିକି ତାଙ୍କ ଏତଲା ପରିବର୍ତ୍ତେ ତାଙ୍କ ଭଉଣୀଙ୍କ ଏତଲା ଆଧାରରେ ମାମଲା କରାଯାଇଛି। ଘଟଣାକୁ ଇତି ମଧ୍ୟରେ ସପ୍ତାହ ବିତିଯାଇଥିଲେ ମଧ୍ୟ ଭିଣୋଇ କ୍ଷୀରୋଧ ଓ ତାଙ୍କ ଭାଉଜ ରଶ୍ମିତାଙ୍କୁ ଗିରଫ କରାଯାଉ ନାହିଁ। ଏପରି ସମ୍ବେଦନଶୀଳ ଘଟଣା ଅଭିଯୁକ୍ତ ଗିରଫ କରିବା ପରିବର୍ତ୍ତେ ପୁଲିସ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ଅଭିଯୋଗକୁ ଥାନା ଅଧିକାରୀ ଜି. ବିଶ୍ୱାଳ ଖଣ୍ଡନ କରିଛନ୍ତି। ଏସ୍‌ପି ଡକ୍ଟର ଉମା ଶଙ୍କର ଦାଶ ଆଇନ ଅନୁଯାୟୀ ଦୃଢ଼ ଉଭୟ କ୍ଷୀରୋଧ ଓ ତାଙ୍କ ଭାଉଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର