ରାସ୍ତାରେ କାଠ ଗଣ୍ଡି ରଖି ଲୁଟ୍‌: ୩ ଗିରଫ – ଗୁରୁଣ୍ଡିଆ-କଲୁଙ୍ଗା ରାସ୍ତାରେ ସିରିଜ୍ ଡକାୟତିରେ ସମ୍ପୃକ୍ତ – ବାଇକ୍‌, ମୋବାଇଲ, ଟଙ୍କା ଓ ଚେନ୍‌ ଜବତ

ରାଉରକେଲା/ଲାଠିକଟା,: ଗୁରୁଣ୍ଡିଆ-କଲୁଙ୍ଗା ରାସ୍ତାରେ ଆତଙ୍କରାଜ ଚଳାଇଥିବା ଡକାୟତ ଦଳର ୩ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୬ ହଜାର ଟଙ୍କା, ରୁପା ଚେନ, ୩ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ ହୋଇଛି।
ଆଜି ସକାଳେ ୧୪୩ ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ପୁଲିସ ଯାନବାହନ ଯାଞ୍ଚ କରୁଥିବା ବେଳେ ଗୋଟିଏ ବାଇକ୍‌ରେ ଥିବା ୩ ଆରୋହୀଙ୍କ ବ୍ୟବହାରରେ ସନ୍ଦେହ କରି ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେମାନେ କଲୁଙ୍ଗା-ଗୁରୁଣ୍ଡିଆ ରାସ୍ତାର ବେଣୁଆମ୍‌ ‘ଏସ୍‌’ ଛକଠାରେ ସଂଘଟିତ ଏକାଧିକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନେ ହେଲେ ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ବିରିଙ୍ଗଟୋଲିର ମନିଲ ରୋହିଦାସ ଓରଫ ମଣି (୨୦), ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ମଧୁସୂଦନପାଲୀର ଟିଙ୍କୁ କୁମାର ସାହୁ (୧୯) ଓ କୁତ୍ରା ଥାନା ଅନ୍ତର୍ଗତ କଣ୍ଢେଇମୁଣ୍ଡାର ସଦାନନ୍ଦ ସାହୁ (୧୯)। ସେମାନଙ୍କ ନିକଟରୁ ୬ହଜାର ଟଙ୍କା, ରୁପା ଚେନ, ୩ଟି ମୋବାଇଲ ସହ ଗୋଟିଏ ବାଇକ୍‌ (ଓଡ଼ି୧୪ଜି-୬୮୧୭) ଜବତ ହୋଇଛି। ସେମାନେ ବେଣୁଆମ ଜଙ୍ଗଲ ରାସ୍ତାରେ କାଠ ଗଣ୍ଡି, ପଥର ପକାଇ ଅବରୋଧ କରୁଥିଲେ। ବାଇକ୍‌, କାର୍‌ ଓ ବୋଲେରୋ ଚାଳକ ଅଟକିବା ପରେ ମାରଣାସ୍ତ୍ର ଦେଖାଇ ଲୁଟ୍‌ପାଟ କରୁଥିଲେ। ଏହି ଡକାୟତି ଗ୍ୟାଙ୍ଗରେ ବେଦବ୍ୟାସର ଅନୀଲ ତିର୍କୀ, ଡାଙ୍ଗ ଓରଫ୍‌ ଜୁନାସ ବା ଓ ସୁନ୍ଦରଗଡ଼ ଝିରପାଣିର ସଞ୍ଜୟ ତାଣ୍ଡିଆ ସମେତ ଅନ୍ୟ ୫/୬ଜଣ ସାମିଲ ଥିବା ଚାନ୍ଦିପୋଷ ଥାନା ଅଧିକାରୀ ଆଇ.ଏକ୍କା ସୂଚନା ଦେଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଛି।
ଗତ ପ୍ରାୟ ଦେଢ ମାସ ପୂର୍ବେ ଏହି ଡକାୟତମାନେ ସୁନ୍ଦରଗଡ଼ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ଓ କୁଆରମୁଣ୍ଡାର ଜଣେ ବ୍ୟବସାୟୀଙ୍କ ଠାରୁ ୮୨ ହଜାର ଟଙ୍କା, ସୁନ୍ଦରଗଡ଼ କେନ୍ଦୁପଡାର ରାଜେଶ ରୋସନ ବେକ୍‌ଙ୍କ ଠାରୁ ୬ଟି ମୋବାଇଲ, ୨ଟି ଏସ୍‌ବିଆଇ ଏଟିଏମ୍‌ କାର୍ଡ ଓ ବୋ‌ଲେରୋ (ଓଡି୩୩ ଏଫ୍‌-୮୫୦୨ ) ଲୁଟ୍‌ କରିଥିଲେ। ଗତ ୨୦୧୮ ନଭେମ୍ବର ୧୯ରେ ହାତୀବାରି ଥାନା ରାଇବାହାଲର ପ୍ରଫୁଲ୍ଲ ବା’ଙ୍କ ବାଇକ୍‌ ଓ ୨ହଜାର ଟଙ୍କା ଲୁଟ୍‌ ହୋଇଥିଲା। ସେହିପରି ୨୦୧୮ ଡିସେମ୍ବର ୩୧ରେ ରାଜଗାଙ୍ଗପୁର ପଖରାପଡାର ନାଗେ ବରୁଆଙ୍କଠୁ ୪୮ ହଜାର ୮୦୦ ଟଙ୍କା, ୩ଟି ମୋବାଇଲ ଲୁଟ୍‌, ଗତ ୨୩ ରେ ଦେବଗଡ ସୁନାପାସିରର ଆମ୍ବୁଲାନ୍ସ ଡ୍ରାଇଭର ଗଙ୍ଗାଧର ସାହୁଙ୍କଠୁ ଗାଡ଼ି ଚାବି ସହ ୨ ହଜାର ଟଙ୍କା ଲୁଟ୍‌ ହୋଇଥିଲା। କ୍ରମାଗତ ଲୁଟ୍ ଓ ଲୁଟେରା ଧରା ନ ପଡିବାରୁ ଲୋକେ ଭୟଭୀତ ହୋଇ ରାତିରେ ଏହି ରାସ୍ତା ଦେଇ ଲୋକେ ଏକପ୍ରକାର ଯା’ ଆସ କରି ଦେଇଥିଲେ।

ସମ୍ବନ୍ଧିତ ଖବର