ଟ୍ରେନ୍‌ ଲାପଟପ୍‌ ଚୋର ଗିରଫ: ୧୮ ଲାପଟପ୍‌ ଜବତ

ଟାର୍ଗେଟ ଥିଲା ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସର ଏସ୍‌ସି ବଗି

ଗିରଫ ଅଭିଯୁକ୍ତକୁ ରିମାଣ୍ତର ଆଣିବ ରେଳବାଇ ପୁଲିସ୍‌

ରାଉରକେଲା: ରାଉରକେଲା -କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ର ଏସି ବଗିରୁ ଲାପଟପ୍‌, ମୋବାଇଲ ଚୋରି କରୁଥିବା ଜଣେ ଚୋରକୁ ରାଉରକେଲା ରେଳବାଇ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଦଶମନ୍ତପୁର ଥାନା ଅନ୍ତର୍ଗତ ଦେଓଖାର୍ଡର ବିଶ୍ବଜିତ୍‌ କୋସ୍‌ଲା (୨୧)। ତା ନିକଟରୁ ପୁଲିସ ବିଭିନ୍ନ ନାମି ଦାମି କମ୍ପାନୀର ୧୮ ଲାଟଟପ୍‌ ଜବତ କରିଛି। ୧୧ଟି ଲାପଟପ୍‌ ବିଶ୍ବଜିତ୍‌ଙ୍କ ଗାଁ ଦେଓଖାର୍ଡ ଓ ୭ଟି ଲାପଟପ୍‌ ସମ୍ବଲପୁରସ୍ଥିତ ଜମନକିରା ଭଡାଘରୁ ଜବତ ହୋଇଛି। ଗତ ୪ ମାସ ଭିତରେ ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ ଏସବୁ ଲାପଟପ୍‌ ଚୋରି କରିଥିବା ଅଭିଯୁକ୍ତ ବିଶ୍ବଜିତ୍‌ ପୁଲିସ ଆଗରେ ସ୍ବୀକାର କରିଛି। ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଚିମବଙ୍ଗର ପୁଲକ୍‌ ଫେରାର ଅଛି। ବିଶ୍ବଜିତ୍‌ର ସୂଚନାକୁ ଆଧାର କରି ପୁଲକକୁ ଗିରଫ କରିବା ପୁଲିସ ତଦନ୍ତ ଜାରି ରଖିଛି। ସେମାନେ ପୂର୍ବରୁ ଚୋରି କେତେ ଲାପଟପ୍‌ ଚୋରି କରିଥିଲେ।

ସେହି ଲାପଟପ୍‌ଗୁଡ଼ିକୁ ବିକ୍ରି କରିଛନ୍ତି କି ନାହିଁ ରେଳବାଇ ପୁଲିସ ତଦନ୍ତ ଜାରି ରଖିଛି। ଆଜି ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଳବାଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ଚୋରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବିଶ୍ବଜିତ୍‌ ଗାଁରେ ଟିପ୍ପର ଡ୍ରାଇଭର ଭାବେ କାମ କରୁଥିଲେ। ନିଜ ଗାଁରେ ଜଣେ ନାବାଳିକାକୁ ଭଲ ପାଇ ବିବାହ କରିବାରୁ ପରିବାର ଲୋକ ପ୍ରତିବାଦ କରିଥିଲେ। ବିଶ୍ବଜିତ୍‌ ନିଜ ଘର ଛାଡି ଗାଁରେ ଅନ୍ୟ ଏକ ଗାଁରେ ନାବାଳିକାଙ୍କ ସହ ରହିଥିଲେ। ଟିପ୍ପର ଡ୍ରାଇଭର କାମ ଛାଡି ଦଶମନ୍ତପୁର ସାପ୍ତାହିକ ହାଟରେ ମୋବାଇଲ ଭାଉଚର ଦୋକାନ ଖୋଲିଥିଲେ। ସେହି ସମୟରେ ପୁଲକ୍‌ ନାମକ ଜଣେ ବଙ୍ଗାଳୀ ଯୁବକଙ୍କ ସହ ହାଟରେ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ପୁଲକ୍‌ ବିଶ୍ବଜିତ୍‌କୁ ଅଧୃକ ରୋଜଗାର ଲୋଭ ଦେଖାଇ ଲାପଟପ୍‌ ଚୋରି କରିବାକୁ ପ୍ରବର୍ତ୍ତାଇଥିଲେ। ଚୋରି ଲାପ୍‌ଟପ୍‌ଗୁଡ଼ିକ ମୋତେ ଦେଲେ ସେଗୁଡ଼ିକୁ କଲିକତାରେ ବିକି ତୁମକୁ ଅଧୃକ ଟଙ୍କା ଦେବି ବୋଲି ପୁଲକ୍‌ କହିଥିଲେ। ୧୦ ହଜାର ଟଙ୍କା ଆଡଭାନ୍ସ ନେଇ ପୁଲକ୍‌ କଲିକତା ଚାଲିଯାଇଥିଲେ।

ପୁଲକ୍‌ର ଲୋଭରେ ବଶବର୍ତ୍ତୀ ହୋଇ ବିଶ୍ବଜିତ୍‌ ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ର ଏସି ବଗିରୁ ଲାପଟପ୍‌ ଚୋରି କରିବା ଆରମ୍ଭ କରି ଦେଇଥିଲା। ଧରା ନ ପଡିବା ପାଇଁ ନା ବଦଳାଇ ପ୍ରତ୍ୟେକ ଥର ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ର ଏସି ବଗିରେ ଟିକେଟ୍‌ କାଟୁଥିଲୋ। ପରେ ଏସସି ବଗି ଲାଗୁଥିବା ଷ୍ଟେସନର ପ୍ଲାଟଫର୍ମ ନ˚ -୧ରେ ଛିଡା ହେଉଥିଲା। ଟ୍ରେନ୍‌ ଷ୍ଟେସନ ଛାଡିବା ପରେ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ ସେମାନଙ୍କ ଲାପ୍‌ଟପ୍‌ ଚୋରି କରି ନେଉଥିଲେ। ପରବର୍ତ୍ତୀ ଷ୍ଟେସନରେ ଟ୍ରେନରେ ରହିବା ପରେ ସେଠାରୁ ଓହ୍ଲାଇ ଚମ୍ପଟ ମାରୁଥିଲା। ବାରମ୍ବାର ଲାପଟପ୍‌ ଚୋରି ହେଉଥିବା ନେଇ ଗତ ଅଗଷ୍ଟ ୨୩ ଓ ସେପ୍ଟେମ୍ବର ୨ରେ ଦୁଇ ଜଣ ଯାତ୍ରୀ ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଲିଖିତ ଅଭିଯୋଗ ଆଧାରରେ ରେଳବାଇ ଥାନା ପୁଲିସ ଆର‌୍‌ପିଏପ୍‌ ଓ ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।

ସିସିଟିଭି ଫୁଟେଜ୍‌ରେ ଗିରଫ ଅଭିଯୁକ୍ତ ବିଶ୍ବଜିତ୍‌ ଏକାଧୃକବାର ପ୍ଲାଟଫର୍ମ ନ˚ -୧ରେ ଛିଡା ହେଉଥିବାରୁ ପୁଲିସ ସନ୍ଦେହ ହୋଇଥିଲା। ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ଅଭିଯୁକ୍ତ ବିଶ୍ବଜିତ୍‌ ପ୍ଲାଟଫର୍ମ ନ˚ ୧ରୁ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଥାନାକୁ ଆଣି ପଚରାଉଚୁରା ବେଳେ ସେ ଲାପ୍‌ଟପ୍‌ଗୁଡ଼ିକ ରାଉରକେଲା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍‌ୁ ଚୋରି କରିଥିବା ସ୍ବୀକାର କରିଥିଲା। ତା’ ସୂଚନାକୁ ଆଧାର କରି ପୁଲିସ ନିଜ ଗାଁ କୋରାପୁଟର ଦେଓଖାର୍ଡ ଓ ଭଡାଟିଆ ଘର ଜମନକିରାରୁ ମୋଟ ୧୮ଟି ଲାପଟପ୍‌ ଜବତ କରିଥିଲା। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିଆର‌୍‌ପିଓ ଝାରସୁଗୁଡା ଡକ୍ଟର କେ.କେ. ପାଣିଗ୍ରାହୀ, ଡିଏସ୍‌ପି ଜେମ୍‌ସ ସାମଦ, ଇନ୍ସପେକ୍ଟର ହୃଷିକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର