ପାରିବାରିକ କଳହର କରୁଣ ପରିଣତି : ଭଉଣୀ ଓ ପିଉସୀଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ଉନ୍ମତ୍ତ ଯୁବକ, ଅଳ୍ପକେ ବର୍ତ୍ତିଲେ ମା’-ଭିଣୋଇ

କୋଇଡା: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ରକ୍ତମୁଖା ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସଣୁଆ ଗ୍ରାମର ରାଜେଶ ସେଠୀ(୨୨) ନିଜ ଏକ ଭଉଣୀ ଓ ପିଉସୀଙ୍କୁ ଧାରୁଆ ଅସ୍ତ୍ର ଦ୍ୱାରା ବୀଭତ୍ସ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ୧୦ରେ ପାରିବାରିକ କଳହକୁ ନେଇ ବିବାହିତ ଭଉଣୀ ଜାନକୀ ସେଠୀ(୩୦) ଓ ଅବିବାହିତ ପିଉସୀ ଝପ ସେଠୀଙ୍କୁ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା। ଫଳରେ ଉଭୟ ମହିଳା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ରକ୍ତମୁଖା ଅଭିଯୁକ୍ତ ରାଜେଶ ୨ ଜଣଙ୍କୁ ହତ୍ୟା କରିବା ପରେ ଅନ୍ୟ ଏକ ବିବାହିତ ଭଉଣୀର ସ୍ୱାମୀ ତଥା ଭିଣୋଇ ବାବଲି ସେଠୀ ଓ ବିଧବା ମା’ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ମାତ୍ର ଉଭୟ ମା’-ଭିଣୋଇ ପ୍ରାଣ ବଞ୍ଚାଇବା ପାଇଁ ଏକ ପଡୋଶୀ ଘରକୁ ପଶି ଯାଇଥିଲେ।

ହତ୍ୟାର ଶିକାର ହୋଇଥିବା ଜାନକୀଙ୍କ ସ୍ୱାମୀ ରାଜୁ ମୁଣ୍ଡା ଟିପର ଚଳାନ୍ତି। ସେ କିଛି ଦିନ ହେବ ନିଜ ମା’-ଭାଇଙ୍କ ନିକଟରେ ରହି ଆସୁଥିଲେ। ଅନ୍ୟ ଭଉଣୀ ଓ ଭଉଣୀ ଜ୍ୱାଇଁ ମଧ୍ୟ ରାଜେଶର ଘରେ ରହୁଥିଲେ। ଆଜି ରାଜେଶ ଅପରାହ୍ନରେ ପରିବାର ଲୋକଙ୍କ ସହିତ ଗଣ୍ଡଗୋଳ କରିଥିଲା ଓ ରକ୍ତମୁଖା ହୋଇ ୨ଜଣଙ୍କୁ ହତ୍ୟା କରିବା ପରେ ଆଉ ୨ଜଣଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା। ପୁଲିସ ସୂଚନା ପାଇ ସଣୁଆ ଗ୍ରାମକୁ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ରାଜେଶ ଫେରାର ହୋଇ ଯାଇଥିବା ଜଣାପଡ଼ିଛି

ସମ୍ବନ୍ଧିତ ଖବର