୨ ମହିଳାଙ୍କୁ ସାଉଦି ଆରବରେ ବିକ୍ରି ମାମଲା: ପୀଡିତାଙ୍କ ଡାକ୍ତରୀମାଇନା

ରାଉରକେଲା: ସାଉଦି ଆରବରୁ ଫେରିଥିବା ଫର୍ଟିଲାଇଜର ଅଞ୍ଚଳର ଦୁଇ ପୀଡିତା ଯୁବତୀଙ୍କର ଆଜି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଡାକ୍ତରୀମାଇନା ହୋଇଛି। ସେମାନଙ୍କ ବୟାନକୁ ଆଧାର କରି ରଘୁନାଥପାଲୀ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପରିବାର ସହାୟତାରେ ପୁଲିସ ସାଉଦି ଆରବରେ ରହୁଥିବା ଦଲାଲ ବିଶ୍ୱଜିତ୍‌ ମଲ୍ଲିକଙ୍କ ଯୋଗାଯୋଗ କରିଛି। ସପ୍ତାହକ ମଧ୍ୟରେ ଥାନାରେ ପହଞ୍ଚି ଯୁବତୀଙ୍କ ବକେୟା ଟଙ୍କା ଫେରାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପୁଲିସ ଚେତବନୀ ଦେଇଛି। ବିଶ୍ୱଜିତ ୫ ଦିନ ମଧ୍ୟରେ ରାଉରକେଲାରେ ପହଞ୍ଚି, ଥାନାରେ ହାଜର ହେବାକୁ ପୁଲିସକୁ କଥା ଦେଇଥିବା ଜଣାପଡିଛି।

ବିଶ୍ୱଜିତ ପହଞ୍ଚିବା ପରେ ଯୁବତୀ ବିକ୍ରୀ ନେଇ ଥାନାରେ ହୋଇଥିବା ଅଭିଯୋଗରୁ ପରଦା ହଟିବ। ଅନ୍ୟପଟେ ଗତକାଲି ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବିଶ୍ୱଜିତ ମା’ ଏବଂ ସାନଭାଇଙ୍କୁ ଛାଡି ଦେଇଛି। ଗତକାଲି ସାଉଦି ଆରବରୁ ଫେରି ଆସିଥିବା ଫର୍ଟିଲାଇଜର ଅଞ୍ଚଳର ଦୁଇଯୁବତୀ ମହିଳା ସ୍ୱେଚ୍ଛାସେବୀ ମୀନତୀ ଦେବତାଙ୍କ ସହାୟତାରେ ରଘୁନାଥପାଲୀ ଥାନାରେ ପହଞ୍ଚିଥିଲେ। ସେଠାରେ ଦଲାଲ ବିଶ୍ୱଜିତ ତାଙ୍କୁ ୨୫ ଲକ୍ଷ ଟଙ୍କାରେ ବିକ୍ରୀ କରି ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ରାଉରକେଲା ଏକ ହୋଟେଲ ରଖି ତା’ର ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲା। ପରେ ବ୍ଲାକ ମେଲିଂ କରି ସାଉଦି ଆରବ ଯିବାକୁ ବାଧ୍ୟ କରୁଥିଲା ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର