ଉତ୍କଳ ଦିବସ ଓ କୁହୁକ ବାକ୍ସ

ଆରମ୍ଭ ହୋଇଥିଲା ରାଉରକେଲାରୁ

0

ରାଉରକେଲା: ୧୯୩୬ ମସିହା ଏପ୍ରିଲ୍‌ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା। ଏହି ଦିନ ହିଁ ନବ ଉତ୍କଳର ଜନ୍ମଦିନ। ଗୋଟିଏ ସ˚ସ୍କୃତି ସମ୍ପନ୍ନ ପରାକ୍ରମୀ ଜାତିର ଜନ୍ମ ଦିନ ପାଳନ ସମଗ୍ର ବିଶ୍ବରେ ଏକ ବିରଳ ଘଟଣା ହୋଇଥିବାବେଳେ, ଆଜି ଏହା ପାଳିତ ହେଉଛି ଉଭୟ ସରକାରୀ ଓ ବେସରକାରୀସ୍ତରରେ, ରାଜ୍ୟ ତଥା ରାଜ୍ୟ ବାହାରେ-ଦେଶବିଦେଶରେ। ଉନ୍ନତ କଳା ସ˚ସ୍କୃତି ଓ ସାରସ୍ବତ ସମ୍ପନ୍ନ ଏହି ଓଡ଼ିଆ ଜାତିର ଏ ଜନ୍ମତିଥି ପାଳନର ଅୟମାରମ୍ଭ ହେଲା କେଉଁଠି? କିଏ ଲେଖିଲା ଏ ଜାତିର ଜନ୍ମ ଜାତକ? କିଏ ଦେଲା ଏହି ଦିବସଟିକୁ ଉତ୍କଳ ଦିବସର ମାନ୍ୟତା? କେଉଁଠି ପଡ଼ିଲା ଉତ୍କଳ ଦିବସ ପାଳନର ମୂଳଦୁଆ? କେବେ ଚେତିଲେ ଓଡ଼ିଶା ସରକାର? କେବେଠୁ ପାଳନ କରାଗଲା ସରକାରୀସ୍ତରରେ? କିଏ ‌ଦେବ ଏହାର ଉତ୍ତର?
ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଯିବାକୁ ପଡ଼ିବ ସେହି ‘କୁହୁକ ବାକ୍ସ’ ପାଖକୁ। କ’ଣ ଏହି କୁହୁକ ବାକ୍ସ ଯେଉଁଥିରେ ଲୁଚି ରହିଛି ଉତ୍କଳ ଦିବସ ପାଳନର ଆଦ୍ୟପର୍ବ।
୧୯୫୮ ମସିହାରେ ‘ଜାମସେଦପୁର’ର ‘ସୁନ୍ଦରନଗର’ରେ କିଛି ସ୍ବାଭିମାନି ତରୁଣ ଓଡ଼ିଆ; ଶିକ୍ଷା ନବୀଶ(ଟ୍ରେନି) ଏକ ଟିଣ ବାକ୍ସ ଓ ମାତ୍ର ପାଞ୍ଚ ଖଣ୍ତ ପୁସ୍ତକକୁ ସମ୍ବଳ କରି ଗଠନ କଲେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସ˚ସ୍କୃତିର ବିକାଶ ତଥା ଓଡ଼ିଆ ଜାତିୟତାବାଦର ପୁନଃ ପ୍ରତିଷ୍ଠା ପାଇଁ ଏକ ବେସକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ-‘ପ୍ରଗତି ଉତ୍କଳ ସ˚ଘ’। କିନ୍ତୁ ଏହି ତରୁଣମାନେ ପରବର୍ତ୍ତୀକାଳରେ ରାଉରକେଲା ଇସ୍ପାତ କାରଖାନାରେ ନିଯୁକ୍ତି ପାଇ କାର୍ଯ୍ୟରତ ହେବା ଯୋଗୁଁ ଏହି ସ˚ଘ ଉଠି ଆସିଲା ରାଉରକେଲାକୁ ସେହି ୧୯୫୮ ମସିହାରେ। ଏଥି ସହିତ ଉଠି ଆସିଲା ଏହି ଚର୍ଚ୍ଚିତ ଟିଣ ବାକ୍ସ। ଏହି ବାକ୍ସରେ ହିଁ ସାଇତା ଥିଲା ଉତ୍କଳ ଦିବସ ପାଳନର ସମ୍ଭାବ୍ୟ ଇତିହାସ। ଏହି ବାକ୍ସ, ସାକ୍ଷାତ କାମଧେନୁ ସମର୍ପି ଦେଲା ରାଉରକେଲାରେ ପ୍ରଗତି ଉତ୍କଳ ସ˚ଘର ସୁରମ୍ୟ ସୌଧ, ରାଜ୍ୟର ବୃହତ୍ତମ ତଥା ସର୍ବ ଭାରତୀୟସ୍ତରରେ ଶ୍ରେଷ୍ଠ ବେସରକାରୀ ପାଠଗାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ, ମଧୁବାବୁଙ୍କ ସ˚ପର୍କରେ ଦୁର୍ଲଭ ସ˚କଳନ, ବହୁ ଉପାଦେୟ ପୁସ୍ତକର ପ୍ରକାଶନ, ବହୁ ମଞ୍ଚ ନାଟକ ଏବ˚ ସାହିତ୍ୟ ଓ ସା˚ସ୍କୃତିକ ମହୋତ୍ସବ। ଏଣୁ ଆଜି ଯାଏଁ ସ˚ଘର ପ୍ରତ୍ୟେକ ଉତ୍ସବମାନଙ୍କରେ ଖୁବ୍‌ ଶ୍ରଦ୍ଧା ଓ ସମ୍ମାନର ସହ ନିଆଯାଏ ଏହି କୁହୁକ ବାକ୍ସକୁ ଉତ୍ସବସ୍ଥଳକୁ।


୧୯୬୮ ମସିହା ଜାନୁଆରି ୧୧ ତାରିଖର ଏକ ମନୋରମ ସ˚ଧ୍ୟାରେ ବହୁ ବିଚାର ବିମର୍ଶ ପରେ ସ˚ଘ ସିଦ୍ଧାନ୍ତ ଗ୍ରହଣ କଲା- ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଲିଭା ସ୍ମୃତିକୁ ଚିର ସ୍ମରଣୀୟ କରିବା ପାଇଁ ପାଳନ କରିବ ‘ଉତ୍କଳ ଦିବସ’। ସୃଷ୍ଟି ହେଲା ଓଡ଼ିଆ ଅଭିଧାନରେ ଏକ ନୂଆ ଶବ୍ଦ। ସେଇଠି ଲେଖା ହେଲା ଉତ୍କଳ ଦିବସର ଜନ୍ମ ଜାତକ। ରାଉରକେଲା ଭଳି ଏକ ଉପାନ୍ତ ବହୁ ଭାଷାଭାଷୀଙ୍କ ସହରରେ ଏ ଭଳି ଏକ ପ୍ରାଦେଶିକ ଉତ୍ସବର ପରିକଳ୍ପନାକୁ ନେଇ ସ˚ଘ ହେଲା ପ୍ରବଳ ବିରୋଧର ସମ୍ମୁଖୀନ। ଆଜି ବଡ଼ ବଡ଼ ଅକ୍ଷରରେ ଉତ୍କଳ ଦିବସ ପାଳନ କରୁଥିବା ପ୍ରଶାସନ ସେତେବେଳେ ଆଇନ ଶୃଙ୍ଖଳା ବ୍ୟାହତ ହେବା ଓ ସଦ୍‌ଭାବନା କ୍ଷୂର୍ଣ୍ଣ ହେବା ଆଶଙ୍କାରେ ଉତ୍କଳ ଦିବସ ପାଳନ ପରିବର୍ତ୍ତେ କୌଣସି ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବାକୁ ଦେଲା ପରାମର୍ଶ। ଏପ୍ରିଲ୍‌ ପହିଲାରେ ସ୍ବତନ୍ତ୍ର ଉତ୍କଳର ଗଠନ ଓ ଏହି ମାସ ୨୮ ତାରିଖରେ ଉତ୍କଳ ପ୍ରଦେଶ ଗଠନର ମହାନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିନ ପଡ଼ୁଥିବାରୁ ସ˚ଘ ଓ ପ୍ରଶାସନର ମିଳିତ ବୈଠକରେ ସ୍ଥିର ହୋଲା ସ˚ଘ ପାଳନ କରିବ ‘ଉତ୍କଳ ଦିବସ ଓ ମଧୁସୂଦନ ଜୟନ୍ତୀ’। ଏହି ଖବର ତଡ଼ିତ ବେଗରେ ଖେଳିଗଲା ଇସ୍ପାତନଗରୀ ସାରା, ଆଉ ଖେଳିଗଲା ଓଡ଼ିଆଙ୍କ ଧମନୀରେ ଜାତୀୟ ଜାଗରଣର ବିପୁଳ ଉନ୍ମାଦନା।
୧୯୬୮ ମସିହା ଏପ୍ରିଲ୍‌ ପହିଲାର ଏକ ପୁଲକିତ ସ˚ଧ୍ୟାରେ ଶୁଭ ଲଗ୍ନରେ ରାଉରକେଲା ସ୍ଥିତ ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଠାରେ ‘ପ୍ରଗତି ଉତ୍କଳ ସ˚ଘ’ ସଦର୍ପେ ପାଳନ କଲା ବିଶ୍ବ ଇତିହାସରେ ପ୍ରଥମ ଥର ପାଇଁ ଜାତି ଓ ଜାତୀୟତାର ଜୟନ୍ତୀ- ‘ଉତ୍କଳ ଦିବସ ଓ ମଧୁସୂଦନ ଜୟନ୍ତୀ’। ଏହି ସ୍ମରଣୀୟ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ବିଶିଷ୍ଟ ଐତିହାସିକ ସ୍ବର୍ଗତ ଡ. ନବୀନ କୁମାର ସାହୁ, ମୁଖ୍ୟବକ୍ତା ଡ. ମନ୍ମଥନାଥ ଦାସ ଓ ସଭାପତିତ୍ବ କରିଥିଲେ ସ˚ଘ ସଭାପତି ସ୍ବର୍ଗତ ନରେଶ ଚନ୍ଦ୍ର ନାୟକ। ଉନ୍ମୋଚିତ ହେଲା ପ୍ରଥମ ଉତ୍କଳ ଦିବସର ସ୍ମରଣିକା ‘ସ୍ମାରକୀ’। ଉତ୍କଳ ମାତାଙ୍କ ଚରଣ ବନ୍ଦନା ଗାଇ ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି, ଶ୍ରୀବତ୍ସ ପଟ୍ଟନାୟକ ଓ ଭୁବନେଶ୍ବର ମିଶ୍ର ତୋଳିଲେ ସଙ୍ଗୀତର ଅପୂର୍ବ ମୁର୍ଚ୍ଛନା। ସେହିପରି କୁଙ୍କୁମ ମହାନ୍ତି ଓ କେଳୁଚରଣ ମହାପାତ୍ର ପରିବେଷଣ କଲେ ଓଡ଼ିଶୀ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ଚେତନାରେ ପୁଲକିତ ହଜାର ହଜାର ଦର୍ଶକଙ୍କ ଗହଣରେ। ଏଇଠୁ ଆରମ୍ଭ ହେଲା ଉତ୍କଳ ଦିବସର ପ୍ରାଣ ପ୍ରବାହ।
ପ୍ରଗତି ଉତ୍କଳ ସ˚ଘର ବାରମ୍ବାର ଦାବି ପରେ ରାଜ୍ୟ ସରକାରଙ୍କ ଚେତା ଫେରିଲା ୧୯୭୯ ମସିହାରେ, ଉତ୍କଳ ଦିବସ ପାଳନର ଦୀର୍ଘ ୧୨ ବର୍ଷ ପରେ। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ପ୍ରଗତି ଉତ୍କଳ ସ˚ଘର ନିମନ୍ତ୍ରିତ ଅତିଥି ଓ କଳାକାରଙ୍କୁ ନେଇ ସେହି ରାଉରକେଲାରେ ହିଁ ଆରମ୍ଭ କଲେ ସରକାରୀସ୍ତରରେ ସ୍ବୀକୃତ ଉତ୍କଳ ଦିବସର ଶୁଭାରମ୍ଭ। ସେହିପରି ପ୍ରଗତି ଉତ୍କଳ ସ˚ଘର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ପରବର୍ତ୍ତୀ କାଳରେ ରାଜ୍ୟ ସରକାର ଏହି ଦିବସକୁ ସରକାରୀ ଛୁଟି ଭାବେ ଘୋଷଣା କଲେ।
୧୯୬୮ ମସିହାରେ ରାଉରକେଲା ସ୍ଥିତ ପ୍ରଗତି ଉତ୍କଳ ସ˚ଘର ଉତ୍କଳ ଦିବସ ପାଳନର ଏହି ଅଭିନବ ପ୍ରୟାସ ଏକ ଉଦ୍ଦତ୍ତ ପ୍ରବାହ ପରି ସଞ୍ଚରି ଯାଇଛି ସମଗ୍ର ରାଜ୍ୟ ଓ ଦେଶ ବିଦେଶକୁ। ପରିଣତ ହୋଇଛି ଗୋଟିଏ ଜାତିର ପାରମ୍ପରିକ ଜାତୀୟ ଗଣ ଉତ୍ସବରେ। ଆଉ ପ୍ରଗତି ଉତ୍କଳ ସ˚ଘ ପାଲଟି ଯାଇଛି ମହା ଉତ୍କଳୀୟ ଜାତୀୟ ଜାଗରଣର ଅନନ୍ୟ ସ୍ମୃତିପୀଠ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.