ସୁନ୍ଦରଗଡ଼: ‘ରୁବେଲା’ ନେଲା ଜୀବନ, ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ଟିକା ନେବାର ୧୮ ଦିନ ପରେ ବୁର୍ଲା ହସ୍ପିଟାଲରେ ନିଃଶ୍ୱାସ ଛାଡ଼ିଲେ ଠାକୁର ଜୟପୁରିଆ

ସୁନ୍ଦରଗଡ଼(ଦେବବ୍ରତ ଗଡ଼ତିଆ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଟିକା ‘ରୁବେଲା’ ମିଶନ ସଫଳ ହେଉ ନାହିଁ। ଲକ୍ଷାଧିକ ଟଙ୍କା ବିନିଯୋଗରେ ଚାଲିଥିବା ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପରିବର୍ତ୍ତେ କ୍ଷତି ପହଞ୍ଚାଉଛି। ଏଭଳି ଏକ ଘଟଣା ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାରେ ରବିବାର ମୃତ ୯ମ ଶ୍ରେଣୀ ଛାତ୍ରର ମା ଅଭିଯୋଗ ଆଣିଛନ୍ତି।

ବଡ଼ଗାଁ ବ୍ଲକ ଇତମା ହାଇସ୍କୁଲର ଛାତ୍ର ଠାକୁର ଜୟପୁରିଆ ଗତ ଜାନୁଆରି ୩୦ରେ ଟିକା ‘ରୁବେଲା’ ନେଇଥିଲେ। ସ୍କୁଲରେ ଟିକା ନେବା ପରେ ଅସୁସ୍ଥ ଥିବା ଠାକୁର ୫ କିଲୋମିଟର ଦୂର ନିଜ ଗାଁ ନକଟିଆ ଆସିଥିଲେ। ୨ ଦିନ ଅସୁସ୍ଥ ଅନୁଭବ କରିବା ପରେ ମଧ୍ୟ ଠାକୁର ଫେବ୍ରୁଆରି ୨ ଓ ୫ରେ ସ୍କୁଲ ଯାଇଥିଲେ।

ଇତମା ହାଇସ୍କୁଲର ପ୍ରଧାନଶିକ୍ଷକ ହୃଷିକେଶ ସାହୁ କୁହନ୍ତି, ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେ କିଛି ଜାଣି ନାହାଁନ୍ତି। ସାହୁ କହିଛନ୍ତି, ଟିକା ନେବା ପରେ ମଧ୍ୟ ଠାକୁର ୨ ଦିନ ସ୍କୁଲ ଆସିଛି ଓ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ କିଛି କହି ନାହାଁନ୍ତି।

ଟିକା ନେବାର ୩/୪ ଦିନ ପରେ ମଧ୍ୟ ଠାକୁରଙ୍କ ଗୋଡ଼ ହାତ ପ୍ରବଳ କଷ୍ଟ ହେବାରୁ ଗାଁର ଆଶା ଦିଦିଙ୍କ ପାଖକୁ ଯାଇଥିଲେ। କଷ୍ଟ ପୀଡ଼ା ହେବାର ଉପାୟ ସମ୍ପର୍କରେ ପରାମର୍ଶ ଦେବା ଜାଗାରେ ଆଶା ଦିଦି ଓଲଟା କହିଥିଲେ, ଟିକା ବା ଔଷଧ ସେବନ କଲେ ଗୋଡ଼ ହାତ ଯନ୍ତ୍ରଣା ହେବା ମାମୁଲି କଥା।

ଫ୍ରେବୁଆରି ୭ରେ ଠାକୁର ଅଧିକ ଶାରୀରିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରଦିନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ୧୧ ତାରିଖରେ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଠାକୁରଙ୍କ ରବିବାର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବାକୁ ଠାକୁରଙ୍କ ମୃତଦେହ ଘରେ ପହଞ୍ଚି ନ ଥିଲା।

୩ ବର୍ଷ ତଳେ ୨ ବର୍ଷର ଭଉଣୀ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା

ଠାକୁରଙ୍କ ମାଁ ଡାଲିମ୍ବ ଜୟପୁରିଆ କୁହନ୍ତି, ୩ ବର୍ଷ ତଳେ ତାଙ୍କର ୨ ବର୍ଷର ଝିଅ ରଶ୍ମିତାର ମୃତ୍ୟୁ ହୋଇଥିଲା। ସ୍ୱାମୀ ଦିନ ମଜୁରିଆ ହୋଇଥିବାରୁ ପରିବାର ଚଳାଇବାରେ ସାହାଯ୍ୟ କରନ୍ତି ବଡ଼ପୁଅ ସୁରେଶ। ୧୯ ବର୍ଷର ପୁଅ ସ୍ଥାନୀୟ ଏକ ବେସରକାରୀ କମ୍ପାନିରେ ସୁରକ୍ଷାକର୍ମୀ ଭାବରେ କାମ କରେ ବୋଲି ସେ କୁହନ୍ତି। ସାନ ପୁଅ ଓ ସାନ ଝିଅକୁ ହରାଇବା ପରେ କାନ୍ଦି କାନ୍ଦି ଡାଲିମ୍ବ କୁହନ୍ତି ସୁରେଶ ଓ ଦଶମ ଶ୍ରେଣୀରେ ପଢୁଥିବା ରୁକ୍ମିଣୀ ହିଁ ତାଙ୍କର ଭରସା।

ସମ୍ବନ୍ଧିତ ଖବର