ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ସ୍ୱାମୀ ଓ ପୁଅ ଗୁରୁତର

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାରୁ ଯାଉନି ଅନ୍ଧବିଶ୍ୱାସ। ଜିଲ୍ଲାରେ ପୁଣି ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ହତ୍ୟାକାଣ୍ଡ। ହୋଲିରେ କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଉକ୍ତ ମହିଳାଙ୍କ ସ୍ୱାମୀ ଓ ପୁଅ ବି ଗୁରୁତର ଆହତ ହୋଇଛନ୍ତି।

ରତାଖଣ୍ଡି ସିଂହଟୋଲାର ଗାଁ’ରେ ଯଦି କାହାର ଦେହ ଖରାପ ହୁଏ, ତେବେ ଗ୍ରାମର ଫଗୁ ସିଂଙ୍କ ପତ୍ନୀ ଯଶୋଦା (୫୪) ଗୁଣିଗାରେଡ଼ି କରିଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ଡାହାଣୀ ସନ୍ଦେହରେ ତାଙ୍କୁ ନିର୍ଯାତନା ଦେଉଥିଲେ।  ଗତକାଲି ରାତି ୮ଟା ବେଳେ ଯଶୋଦା ଘରେ ଶୋଇଥିବା ବେଳେ ଗ୍ରାମର କିଛି ଲୋକ ତାଙ୍କ ଘରେ ପଶି ଯଶୋଦାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସ୍ୱାମୀ ଫଗୁ ଓ ସାନ ପୁଅ କମଲେଶ ଉଦ୍ୟମ କରିବାରୁ ଆକ୍ରମଣକାରୀମାନେ ସେମାନଙ୍କୁ ବି ହାଣିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ ଜଣଙ୍କୁ ଚିକିତ୍ସା ପାଇଁ ଜଣେ ଅଟୋ ଡ୍ରାଇଭର ଆଣି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଯଶୋଦାଙ୍କୁ ମୃତ ଘୋଷଣା କରିଥିଲେ।  କୁଆରମୁଣ୍ଡା ପୁଲିସ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ରତାଖଣ୍ଡି ସିଂହଟୋଲା ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର