ଯୁବକଙ୍କ ହାତବନ୍ଧା ଝୁଲନ୍ତା ଶବ ଉଦ୍ଧାର : ଘର ବାରଣ୍ଡାରେ ମୃତ ଶରୀର ଝୁଲୁଥିଲା

ହତ୍ୟା ସନ୍ଦେହ: ୩ ବନ୍ଧୁ ଅଟକ

ହେମଗିର: ଛତାବର ଗ୍ରାମର ଏକ ଘର ଭିତର ବାରଣ୍ଡାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଶରୀର ଉଦ୍ଧାର ହୋଇଛି। ଶରୀରରେ କ୍ଷତ ଚିହ୍ନ ସହ ଦୁଇ ହାତ ବନ୍ଧା ହୋଇ ରହିଥିବାରୁ ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ହେମଗିର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
ଛତାବର ଗ୍ରାମର ସୁଗ୍ରୀ ସା ତିନି ଦିନ ପୂର୍ବେ ଚକ୍ଷୁ ଚିକିତ୍ସା ପାଇଁ ଝିଅକୁ ଧରି ରାଉରକେଲା ଯାଇଥିଲେ। ଘରେ ତାଙ୍କର ଏକମାତ୍ର ପୁଅ ଅଭିମନ୍ୟୁ ସା (୨୭) ଏକୁଟିଆ ଥିଲେ। ଆଜି ଅପରାହ୍‌ଣରେ ଅଭିମନ୍ୟୁଙ୍କ ମୃତ ଶରୀର ଘର ଭିତରକୁ ଉଦ୍ଧାର ହୋଇଛି। ତାଙ୍କ ବେକରେ ରଶି ଲାଗିଥିବା ବେଳେ ସେ ବାରଣ୍ଡାରେ ବସିଥିବା ଅବସ୍ଥାରେ ରହିଥିଲେ। ତାଙ୍କର ଦୁଇ ହାତକୁ ବନ୍ଧା ଯାଇଥିଲା। ଦେହରେ କ୍ଷତ ଚିହ୍ନ ସହ ବାରଣ୍ଡାରେ ରକ୍ତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀଙ୍କ ଠାରୁ ଖବରପାଇ ପୁଲିସ ପହଞ୍ଚିଥିଲା।
ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଓ ବଲିଙ୍ଗା ଫାଣ୍ଡି ଅଧିକାରୀ ପି.ସି.ଜେନା ସାଇଣ୍ଟିଫିକ୍‌ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତିି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ସନ୍ଦେହରେ ମୃତ ଅଭିମନ୍ୟୁଙ୍କ ଦୁଇ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର