କନ୍ଧମାଳ: ଫୁଲବାଣୀ ଏପିଡିଙ୍କ ସନ୍ଦେହଜନକ ମୃତ୍ୟୁ

ଫୁଲବାଣୀ: ‘ଡିଆରଡିଏ’ରେ କାର୍ଯ୍ୟରତ ଏପିଡି ଧ୍ରୁବ କୁମାର ସିଂହଙ୍କର ଶୁକ୍ରବାର ଅପରାହ୍ଣରେ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସରକାରୀ କ୍ୱାଟରରୁ ଶ୍ରୀ ଧ୍ରୁବଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାର କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ଶ୍ରୀ ସିଂହ ଆଜି ଅଫିସ ଯାଇ ନଥିଲେ। ସେ ନିଜ ସରକାରୀ କ୍ୱାଟରରେ ରହିଥିଲେ। ଅଫିସ୍‌ ଯାଇ ନଥିବାରୁ ତାଙ୍କ ଅଫିସ୍‌ର କିଛି କର୍ମଚାରୀ କାରଣ ଜାଣିବାକୁ ଉଦ୍ୟମ କରିଥିଲେ। ତେବେ ଅଫିସ୍‌ର କର୍ମଚାରୀମାନେ ସରକାରୀ କ୍ୱାଟରକୁ ଆସି ଯେତେବେଳେ ଦେଖିଲେ, ଧ୍ରୁବ କୁମାର ଚଟାଣରେ ପଡ଼ିରହିଛନ୍ତି। କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ମୃତ ଧ୍ରୁବ କୁମାର ସିଂହଙ୍କ ଘର ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଅବିବାହିତ ଥିବାରୁ ଏଠାରେ ଏକାକୀ ରହୁଥିଲେ।

ସମ୍ବନ୍ଧିତ ଖବର