ସମ୍ବଲପୁର: ବିଶ୍ୱର ଏକମାତ୍ର ସହରଭାବେ ସମ୍ବଲପୁରରେ ସର୍ବପ୍ରଥମେ ହିନ୍ଦୁ ମାନଙ୍କ ପକ୍ଷରୁ ତାଜିଆ ଶୋଭାଯାତ୍ରାର ପରଂପରା ଆରମ୍ଭ ହୋଇଥିଲା। ଏହି ଅନନ୍ୟ ପରଂପରା ଏଥର ୩୫୬ ବର୍ଷରେ ପହଞ୍ଚିଛି। ସବୁ ଝଡ଼ଝଞ୍ଜା ଓ ପାରିବାରିକ ସମସ୍ୟା ସତ୍ତ୍ୱେ ବି ଏହାକୁ ଅକ୍ଷୁଣ୍ଣ ରଖିଛନ୍ତି ମୁଦିପଡ଼ାର ପଢ଼ିଆରୀ ପରିବାର। ନିଜ ପୂର୍ବଜଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରଂପରାକୁ ଜାରି ରଖିଥିବା ଲାଲମୋହନ ପଢ଼ିଆରୀଙ୍କର ପରଲୋକ ହୋଇ ଯାଇଛି। ତିନି ବର୍ଷ ହେଲା ତାଙ୍କ ଭାଇ ରାଜେନ୍ଦ୍ର ପଢ଼ିଆରୀ ଏବଂ ଭଉଣୀମାନଙ୍କ ତତ୍ତ୍ୱାବଧାନରେ ମୁଦିପଡ଼ାର ତାଜିଆ ଶୋଭାଯାତ୍ରା ବାହାରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁରର ତାଜିଆ ପରଂପରା ୧୬୬୪ ମସିହାରୁ ଆରମ୍ଭ। ସେହି ସମୟରେ ମୁଦିପଡ଼ାର ଜୟଦେବ ପଢ଼ିଆରୀ ନାମକ ଜଣେ ଯୁବକ ପରିବାର ଲୋକଙ୍କ ବିବାହ କରିବାର ଚାପ ଏଡ଼ାଇବାକୁ ଘର ଛାଡ଼ି ମକ୍କା ପଳାଇଥିଲେ। କିଛି ବର୍ଷ ପରେ ସେ ସେଠାରୁ ଫେରିଥିଲେ। ତାଙ୍କ ସହ ଦୁଇ ଜଣ ମୌଲାନା ବି ସମ୍ବଲପୁର ଆସିଥିଲେ। ଶ୍ରୀ ପଢ଼ିଆରୀ ସମ୍ବଲପୁରରେ ତାଜିଆ ଶୋଭାଯାତ୍ରା ବାହାର କରିବାକୁ ତତ୍କାଳୀନ ସମ୍ବଲପୁର ମହାରାଜା ଛତ୍ର ସାଏଙ୍କ ଅନୁମତି ଲୋଡ଼ିଥିଲେ। ଅନୁମତି ମିଳିବା ପରେ ରାଜାଙ୍କ ପ୍ରୋତ୍ସାହନରେ ଓ ମୌଲାନାଙ୍କ ସହଯୋଗରେ ପଢ଼ିଆରୀ ପରିବାର ପକ୍ଷରୁ ଶୋଭାଯାତ୍ରା ବାହାର କରା ଯାଇଥିଲା। ଏହି ପରିଁପରା ଆଜି ପର୍ଯ୍ୟନ୍ତ ୩୫୫ ବର୍ଷ ଧରି ନିରବଛିନ୍ନଭାବେ ଚାଲି ଆସିଛି। ହିନ୍ଦୁ ପରିବାର ପକ୍ଷରୁ ତାଜିଆ ବାହାରିବାର ପ୍ରାୟ ୮୦ ବର୍ଷ ପରେ ସମ୍ବଲପୁରରେ ମୁସଲମାନ ଶ୍ରଦ୍ଧାଳୁଙ୍କ ପକ୍ଷରୁ ପ୍ରଥମ ତାଜିଆ ବଡ଼ବଜାରରୁ ବାହାରିଥିଲା। ପରବର୍ତ୍ତୀ ସମୟରେ ଆଉ ୫ଟି ପଡ଼ାର ମୋହରମ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରା ଆୟୋଜନ କରାଯାଇ ଆସୁଛି।
ବୁଧବାର ସକାଳେ ମୁଦିପଡ଼ା ଇମାମ୍ବାଡ଼ାରୁ ପଢ଼ିଆରୀ ଘର ତାଜିଆ ଉଠିଥିଲା। ଏହା ମୁଦିପଡ଼ା ଛକ, ଲସତଲିଆ ଛକ, ଗେଇଟି ରୋଡ୍ ଦେଇ ଗୋଲବଜାରରେ ପହଞ୍ଚିଥିଲା। ସେଠାରେ ତାଜିଆ ମିଳନ ଉତ୍ସବ ପରେ ବେଦ୍ୟନାଥ ଛକ, କଂସାରିପଡ଼ା ଦେଇ ମୁଦିପଡ଼ା ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ତାଜିଆ ବାହାରିବା ବେଳେ ରାସ୍ତାରେ ହିନ୍ଦୁ ମହିଳାମାନେ ଧୂପ, ନଡ଼ିଆ ଇତ୍ୟାଦି ଦେଇ ଏହାର ଆରାଧନା କରିଥିଲେ। ସୀମିତ ଆର୍ଥିକ କ୍ଷମତା ସତ୍ତ୍ୱେ ବଡ଼ଭାଇଙ୍କ ପରଲୋକ ପରେ ରାଜେନ୍ଦ୍ର ନିଜ ଭଉଣୀମାନଙ୍କ ସହାୟତାରେ ଯଥା ସମ୍ଭବ ଧୁମଧାମରେ ତାଜିଆ ଶୋଭାଯାତ୍ରା ଆୟୋଜନ କରି ଆସୁଛନ୍ତି।