ତାଳଚେର ବନ୍ଦ ଜାରି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ-ଗ୍ରାମବାସୀଙ୍କ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଅନୁଗୁଳ: ତାଳଚେରସ୍ଥିତ ଭାଲୁଗାଡିଆ ଗ୍ରାମର ହରିଜନ ସାହିକୁ ଉଚ୍ଛେଦ କରିବାକୁ ଯାଇ ମଙ୍ଗଳବାର ପୁଲିସ ଓ କ୍ଷତିଗ୍ରସ୍ତ ପ୍ରଜା ମୁହାଁମୁହିଁ ହେବା ଘଟଣାରେ ବୁଧବାର ତାଳଚେରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ଜାରି ରହିଛି। ଆଜି ସକାଳୁ ଆରମ୍ଭ ହୋଇଥିବା ବନ୍ଦ ସନ୍ଧ୍ୟା ୬ ଟା ଯାଏଁ ଜାରି ରହିବ। ଆନ୍ଦୋଳନକାରୀମାନେ ଆଜି ସକାଳୁ ତାଳଚେର ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଟାୟାର ଜାଳି ବନ୍ଦ ପାଳନ କରିଥିଲେ। ବନ୍ଦ ଫଳରେ ଯାତାୟତ ପ୍ରଭାବିତ ହୋଇଛି। ହସ୍‌ପିଟାଲ ସେବା ବ୍ୟତୀତ ସମସ୍ତ ଦୋକାନ ଓ ବ୍ୟବସାୟ କେନ୍ଦ୍ରଗୁଡ଼ିକ ବନ୍ଦ ରଖାଯାଇଛି।

ଗ୍ରାମବାସୀ ଓ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମବାସୀ ଓ ବିଧାୟକ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଛନ୍ତି। ବିକ୍ଷୋଭ ସମୟରେ ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଭାଲୁଗାଡିଆ ହରିଜନ ସାହି ଉଚ୍ଛେଦକୁ କେନ୍ଦ୍ର କରି ମଙ୍ଗଳବାର ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଫଳରେ ପୁଲିସ ବିଧାୟକଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ଅଟକ ରଖିଥିଲା। ବିଧାୟକ ଶ୍ରୀ ପ୍ରଧାନ ନିର୍ଜଳ ଉପବାସ ଆରମ୍ଭ କରିବା ଫଳରେ ପୁଲିସ ଓ ପ୍ରଶାସନ ଅଡୁଆରେ ପଡିଯାଇଥିଲା।। ଏହାକୁ କେନ୍ଦ୍ର କରି ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ)ର ସମସ୍ତ କୋଇଲା ଖଣି ସମେତ ବ୍ଲକ ଓ ପୌରାଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏହାର ପ୍ରତିବାଦରେ ଆଜି (ବୁଧବାର) ତାଳଚେରରେ ବନ୍ଦ ପାଳନ କରାଯାଇଛି।

ସମ୍ବନ୍ଧିତ ଖବର