କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା ସୀମା ଲଂଘିଲା, ବ୍ୟାରିକେଡ୍‌ ଭାଙ୍ଗିଲେ, ପୁଲିସ ଟେଣ୍ଟ ଭାଙ୍ଗି ଫିଙ୍ଗିଦେଲେ

ରାଉରକେଲା: ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଗତକାଲି ରାତିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବିସ୍ଫୋରକ ରୂପ ନେଇଛି। ପୁଲିସ ଉପରକୁ ଟେକାମାଡ଼, ବ୍ୟାରିକେଡ ଓ ପୁଲିସ ତମ୍ବୁ ଭଙ୍ଗାରୁଜା ତଥା ଜଳାପୋଡ଼ା ପରେ ବର୍ତ୍ତମାନ ଯଦିଓ ସ୍ଥିତି କିଛିଟା ଶାନ୍ତ ପଡ଼ିଛି, କିନ୍ତୁ ଆଲୋଚନା ପରେ ମଧ୍ୟ ଏ ଖବର ଲେଖା ହେବାବେଳକୁ ସମାଧାନର ସୂତ୍ର ବାହାରି ନାହିଁ।

ଉଲ୍ଲେଖନୀୟ ଯେ ରାଉରକେଲା କଣ୍ଟେନମେଣ୍ଟ୍ ଜୋନ୍ ଚାରି ପାଖରେ ଥିବା ବଫର୍ ଜୋନ୍‌ର ଅବଧି ଆଜି ସକାଳେ ଶେଷ ହୋଇଛି। ତେବେ କଣ୍ଟେନମେଣ୍ଟ୍ ଜୋନ୍ ମଧ୍ୟ ପ୍ରତ୍ୟାହାର କରିବାଲାଗି ଦାବିକରି ଗତକାଲି ରାତି‌ରେ ସ୍ଥାନୀୟ ବାସିନ୍ଦା ପୁଲିସ ବ୍ୟାରିକେଟ୍ ଭଙ୍ଗାରୁଜା କରିଥିଲେ। ପ୍ରାୟ ୨ଟାରେ ପ୍ଲାଣ୍ଟସାଇ୍‌ଟ୍‌ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ନିଜ ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୮ଟାରୁ ସେମାନେ ପୁଣି କଣ୍ଟେନମେଣ୍ଟ ଜୋନ୍‌ ଉଠାଇବାକୁ ଦାବି କରି ପାଟିତୁଣ୍ଡ କରିଥିଲେ। ଏହାକୁ କେନ୍ଦ୍ର କରି ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜିତ ସ୍ଥାନୀୟ ବାସିନ୍ଦା କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଥିବା ସବୁ ବ୍ୟାରିକେଡ୍‌କୁ ଉପାଡି ଫିଙ୍ଗି ଦେଇଥିଲେ। ଶତାଧିକ ସ୍ଥାନୀୟ ବାସିନ୍ଦା ପୁଲିସ ଟେଣ୍ଟ ସହ ସେଠାରେ ଥିବା ଚେୟାର, ଟେବୁଲ ଓ ଫ୍ୟାନଗୁଡ଼ିକୁ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡି ନଥିଲା।

ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ତା’ପରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ସାତତାଲା ଗେଟ୍‌ ସମ୍ମୁଖରେ ଥିବା ବ୍ୟାରିକେଡକୁ ଜଳାପୋଡା କରିବା ସହ ପ୍ରଶାସନ ବିରୋଧରେ ନାରା ଦେଇଥିଲେ। ତେବେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗଣ୍ଡଗୋଳ ନ କରିବାକୁ ପୁଲିସ ସେମାନଙ୍କୁ ବୁଝାଇବାଲାଗି ଉଦ୍ୟମ କରିଥିଲା। କିନ୍ତୁ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା ଓଲଟା ପୁଲିସ ଉପରକୁ ଟେକାପଥର ମାଡ ଆରମ୍ଭ କରି ଦେଇଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପ୍ରାୟ ଦେଢ଼ଘଣ୍ଟା ଧରି ଏହି ଖଣ୍ଡଯୁଦ୍ଧ ଚାଲିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ପୁଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

ତା’ ଭିତରେ ଉତ୍ତେଜିତ ଲୋକଙ୍କ ଟେକାପଥର ମାଡରେ ପ୍ଲାଣ୍ଟସାଇଟ୍‌ ଥାନାର ସବ୍‌ଇନ୍ସପେକ୍ଟର ଦିଲୀପ କୁମାର ମୁର୍ମୁଙ୍କ ସମେତ ୧୩ ପୁଲିସ କର୍ମଚାରୀ, ୩ ଜଣ ସାଧାରଣ ଜନତା ଓ ଜଣେ ସାମ୍ବାଦିକ ଆହତ ହୋଇଥିଲେ। ସମସ୍ତଙ୍କ ଗୋଡ, ହାତ, ମୁଣ୍ଡ ଓ ନାକରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ସବ୍‌ଇନ୍ସପେକ୍ଟର ଶ୍ରୀ ମୁର୍ମୁଙ୍କଙ୍କ ନାକରେ ଗୁରୁତର ଆଘାତ ଲାଗିଥିବାରୁ ଲହୁଲୁହାଣ ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ସମେତ ଅନେକ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଡିଆଇଜି ଜଲାନ ଉତ୍ତେଜିତ କଣ୍ଟେନମେଣ୍ଟ ଜୋନ୍‌ର ବାସିନ୍ଦାଙ୍କୁ ଶାନ୍ତି ବଜାୟ ରଖିବାକୁ ହାତ ଯୋଡି ଅନୁରୋଧ କରିବାର ଦେଖା ଯାଇଥିଲା। ସେମାନଙ୍କର ସମସ୍ତ ଦାବିକୁ ଗ୍ରହଣ କରାଯିବ କିନ୍ତୁ ପ୍ରଥମେ ସେମାନେ ଶାନ୍ତ ହୁଅନ୍ତୁ ବୋଲି ସେ ଉତ୍ତେଜିତ ଲୋକଙ୍କୁ ନିବେଦନ କରିଥିଲେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ ନହଟାଇବା ପର୍ଯ୍ୟନ୍ତ ସେଠାରୁ ସେମାନେ ହଟିବେ ନାହିଁ ବୋଲି ସ୍ଥାନୀୟ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ବଢ଼ାଯାଇଥିଲା। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ପହଞ୍ଚି ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଡିଆଇଜି କବିତା ଜଲାନ, ଏସ୍‌ପି ଶ୍ରୀ ସୁବ୍ରମଣି ଓ କମିଶନର ଶ୍ରୀ ପରିଡାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ କଣ୍ଟେନମେଣ୍ଟ ଜୋନ୍‌ର ୭ ଜଣ ପ୍ରତିନିଧିଙ୍କୁ ପୁଲିସ ଟେଣ୍ଟକୁ ଡାକି ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। କିନ୍ତୁ ସମାଧାନର କୌଣସି ବାଟ ବାହାରି ନଥିଲା। ପ୍ରତିନିଧିମାନେ କଣ୍ଟେନମେଣ୍ଟ ଜୋନ୍‌କୁ ଫେରି ଯାଇଥିଲେ। ତେବେ ଅଧଘଣ୍ଟା ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସେମାନଙ୍କୁ ଡକାଯାଇଥିଲା। ସେ ପର୍ଯ୍ୟାୟରେ ପ୍ରାୟ ଅଧଘଣ୍ଟା ଧରି ଆଷଳାଚନା ଚାଲିଥିଲେ ହେଁ କିଛି ସୁଫଳ ମିଳି ନଥିଲା। ଉପାୟଶୂନ୍ୟ ‌ହୋଇ ବରିଷ୍ଠ ଅଧିକାରୀମାନେ ଫେରି ଯାଇଥିଲେ।

ଉକ୍ତ ଅଞ୍ଚଳ ବର୍ତ୍ତମାନ ଉପରକୁ ଶାନ୍ତ ଜଣା ପଡୁଥିଲେ ହେଁ ଭିତରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ୫ ପ୍ଲାଟୁନ୍‌ ଆର୍ମଡ ପୁଲିସଙ୍କୁ ମୁତୟନ କରାଯାଇଛି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରଶାସନ ସବୁ ସମୟରେ ପ୍ରସ୍ତୁତ ଅଛି। ଶାନ୍ତି ବଜାୟ ରଖି ସମସ୍ୟାର ସମାଧାନ ପାଇଁ ଆଲୋଚନା ଜାରି ରହିଛି ଓ ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୬ରେ ରାଉରକେଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ଏହା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ଏହାର ଚତୁଃପାର୍ଶ୍ବକୁ ବଫର୍ ଜୋନ୍‌ ଘୋଷଣା କରାଯାଇଥିଲା। ପ୍ରଥମରୁ ହିଁ କଣ୍ଡେନମେଣ୍ଟ୍ ଜୋନ୍ ଘୋଷଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଥିବାର ଦେଖା ଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ଯାଇଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ କଣ୍ଟେନମେଣ୍ଟ ଜୋନ୍‌ରେ ଦୁର୍ବ୍ୟବହାର କରା ଯାଇଥିଲା ଓ ସ୍ବାସ୍ଥ୍ୟ ପରୀକ୍ଷାରେ ସହଯୋଗ କରା ଯାଇ ନଥିଲା। ଅନୁରୂପ ଭାବେ ବିଶୋଧନ ପାଇଁ ଯାଇଥିବା ଆର୍‌ଏମ୍‌ସି କର୍ମଚାରୀଙ୍କୁ ମଧ୍ୟ ଲେଶକେ ଗାଳିଗୁଲଜ କରିଥିଲେ। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣାର ପ୍ରାୟ ୭ ଦିନ ପରେ ମହତାବ ରୋଡ୍‌ ସମେତ କେତେକ ଅଞ୍ଚଳରେ ବଫର ଜୋନ୍‌ର ବ୍ୟାରିକେଡ୍‌କୁ ଉପାଡି ଫିଙ୍ଗି ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେଠାରେ ପହଞ୍ଚିଥିବା ପୁଲିସ ଉପରକୁ ଠେକାପଥର ମାଡ ହୋଇଥିଲା। ଡିଆଇଜି ଓ ଏସ୍‌ପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର