ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ସୂଚନା ପାଇବା ପରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସଂପୃକ୍ତ ସ୍କୁଲକୁ ପହଂଚି ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସେବାଶ୍ରମରେ ଏହି ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଶିକ୍ଷା ବିଭାଗର ପରିଚାଳନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Advertisment

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ୍‌ ଆଜି ଆଶ୍ରମ ସ୍କୁଲରେ ପହଁଚି ଗର୍ଭବତୀ ହୋଇଥିବା ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ମହାକୁୁଡ ଓ ବ୍ଲକ ସଂମ୍ପ୍ରସାରଣ ଅଧିକାରୀ ପ୍ରଦୀପ ମିଶ୍ରଙ୍କ ସହ ଆଲୋଚନା କରିବା ପରେ ଛାତ୍ରୀଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ପରୀକ୍ଷା କରାଇଥିଲେ। ଡାକ୍ତରଙ୍କ ଠାରୁ ଛାତ୍ରୀ ଜଣକ ସାତମାସର ଗର୍ଭବତୀ ଥିବା ଜଣାପଡିବା ପରେ ଲକ୍ଷ୍ମୀପୁର ଥାନାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମହାପାତ୍ର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ସ୍କୁଲର ପ୍ରଧାନଶିକ୍ଷକ କିଛି ଜାଣି ନ ଥିବା ପ୍ରକାଶ କରିଥିବା ବେଳେ ହଷ୍ଟେଲ ଦାୟିତ୍ୱରେ ଥିବା ଏଏନଏମ୍‌ ଖୁସୁବୁ ରାଓ କହିଛନ୍ତି, ପ୍ରତ୍ୟେକ ମାସରେ ନିୟମ ମୁତାବକ ଯେଉଁ ପରି ଭାବରେ ଚେକିଂ କରାଯିବା କଥା ସେଇଭଳି ଭାବେ ଉକ୍ତ ଛାତ୍ରୀଙ୍କୁ ମଧ୍ୟ ପରୀକ୍ଷା କରାଯାଉଥିଲା ଓ ଛାତ୍ରୀ ଜଣକ ପ୍ୟାଡ୍‌ ମଧ୍ୟ ପ୍ରତ୍ୟକ ମାସରେ ଗ୍ରହଣ କରୁଥିଲେ କିନ୍ତୁ ଦଶହରା ଛୁଟି ପରେ ବର୍ତ୍ତମାନ କେବଳ ଗୋଟିଏ ମାସ ହିଁ ବିତିଥିବା ଯୋଗୁଁ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡି ନ ଥିଲା। ଏପରିକି ଛାତ୍ରୀ ଜଣକଙ୍କ ନାମ ହଷ୍ଟେଲ୍‌ରେ ପଜିଂକରଣ ହୋଇଥିଲେ ମଧ୍ୟ ସେ ହଷ୍ଟେଲର ସମସ୍ତ ପ୍ରକାର ସୁବିଧା ହାସଲ କରୁଥିଲା କିନ୍ତୁ ତାଙ୍କ ଅଭିଭାବକ ହଷ୍ଟେଲର ଜଣେ କର୍ମଚାରୀ ଓ ହଷ୍ଟେଲ ମଧ୍ୟରେ ଥିବା ସରକାରୀ ବାସଭବନରେ ରହୁଥିବା କାରଣରୁ ସେ ଘରେ ହିଁ ରହୁଥିଲା ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।

୭ମାସର ଗର୍ଭବତୀ ହେବା ଘଟଣା ଛାତ୍ରୀ ଜଣକ କାହାରିକୁ ପ୍ରକାଶ କରି ନ ଥିଲା। କୋରାପୁଟର ଏକ ସ୍ୱତନ୍ତ୍ର ଟିମ ଗତ ଚାରି ତାରିଖ ଦିନ ଆଶ୍ରମରେ ପହଁଚି ସମସ୍ତ ଦଶମ ଶ୍ରେଣୀର ଛାତ୍ରିଙ୍କୁ ପରୀକ୍ଷା କରାଯିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ଥାନାରେ ଅଭିଯୋଗ ପରେ ବର୍ତ୍ତର୍ମାନ ପୁଲିସ ଛାତ୍ରୀ ଜଣକୁ କିଏ ଗର୍ଭବତୀ କରିଛି ତାହା ତଦନ୍ତ କରୁଛି।

ଜଣେ ଛାତ୍ରୀ ସାତ ମାସ ଧରି ଗର୍ଭବତୀ ହୋଇଥିବା ଘଟଣା ହଷ୍ଟେଲ୍‌ କର୍ତ୍ତୃପକ୍ଷ, ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅଭିଭାବକ କିପରି ଜାଣିପାରିଲେ ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି।