ପିକନିକ୍‌ ସାରି ଫେରୁୁଥବା ବେଳେ କୂଅକୁ ଖସିପଡ଼ିଲା ଦୁଇ ମୋଟର ସାଇକେଲ୍‌, ଘଟଣାସ୍ଥଳରେ ୩ ସାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ କୋଟିନଡ଼ା ଗାଁ କେନାଲ ରାସ୍ତା ପାଖ ବୁଲାଣିରେ ଭାରସାମ୍ୟ ହରାଇ କେନାଲ ନିକଟସ୍ଥ କୂଅରେ ୨ଟି ମୋଟର ସାଇକେଲ୍‌ ଖସିପଡ଼ିଛି। ଫଳରେ ୩ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସଦରଥାନା ଅର୍ନ୍ତଗତ ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ଲାଞ୍ଜିଆ ଗାଁର ସନ୍ତୋଷ ଗୌଡ଼। ଗୁରୁତର ଦ୍ଵୟ ହେଲେ ରାଇଝୋଳ ଗାଁର ମିଟୁ ଗୌଡ଼ ଓ ପଦ୍ମତୋଳା ଗାଁର ଶିବରାମ ସ୍ୱାଇଁ। ସୂଚନା ପାଇ ଦିଗପହଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ନୂଆ ବର୍ଷରେ ଏହି ଘଟଣା ଘଟିଥିବାରୁ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ ନୂଆବର୍ଷ ପାଇଁ ଭୋଜି କରିବାକୁ ୬ ଜଣ ସାଙ୍ଗ ୨ଟି ବାଇକରେ ପିକନିକ କରିବାକୁ ଯାଇଥିଲେ। ସେମାନେ ପିକନିକ ସାରି ଗାଁକୁ ଫେରୁଥିଲେ। ଅଧ ବାଟରେ ଜଣେ ସାଙ୍ଗକୁ ପଦ୍ମତୋଳା ଗ୍ରାମରେ ଛାଡିଦେଇ ମୋଟର ସାଇକେଲ ଦ୍ଵୟରେ ୫ଜଣ ସାଙ୍ଗ ବାଲିପଡ଼ା ଆଡକୁ ଫେରୁଥିଲେ। ଲୋକମାନଙ୍କ କହିବା ଅନୁସାରେ ଏମାନେ ଦ୍ରୁତଗତିରେ ମୋଟର ସାଇକେଲରେ ଗୋଡ଼ାଗୋଡି ହୋଇ ଆସୁଥିଲେ। କୋଟିନଡ଼ା ଗାଁ ଅନ୍ଧାରିଆ କେନାଲ ରାସ୍ତା ପାଖ ବୁଲାଣିରେ ମୋଟର ସାଇକେଲ ଦ୍ଵୟ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ନିକଟସ୍ଥ କୂଅରେ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉପରୋକ୍ତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର