ଭିନ୍ନ ଦୁଇଟି ଘଟଣାରେ ପାଣିରେ ବୁଡ଼ି ୩ ନାବାଳିକା ମୃତ

ଅନୁଗୁଳ/କେନ୍ଦ୍ରାପଡ଼ା:ଆଜି ସକାଳେ ପାଣିରେ ବୁଡ଼ି ୩ ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଥିବା ପରି ଦୁଃଖଦ ଅଘଟଣ ଘଟିଛି। ଅନୁଗୁଳ ଜିଲ୍ଲା ଜରିପଡ଼ା ଥାନା ଅଞ୍ଚଳରେ ଗାଧୋଉଥିିବା ବେଳେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ମଧ୍ୟ ଜଣେ ନାବାଳିକାର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଲେମ୍ବୁତଇଳା ଗ୍ରାମର ପିତାମ୍ବର ସାହୁଙ୍କ ୮ମ ଓ ୭ମ ଶ୍ରେଣୀରେ ପଢ଼ୁଥିବା ଦୁଇ ଝିଅ ଗାଁ ନିକଟ କେନାଲରେ ଗାଧୋଉଥିଲେ। ଏହି ସମୟରେ ଜଣେ ଭଉଣୀ ବୁଡ଼ି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ଯାଇ ଆର ଭଉଣୀ ଜଣକ ମଧ୍ୟ ବୁଡ଼ି ଯାଇଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କରିଲୋପାଟଣା ଭଗବାନପୁର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗାଁର ୧୨ ବର୍ଷୀୟ ଜୟଶ୍ରୀ ମଲ୍ଲିକ ଗାଁ ପୋଖରିରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ପାଣିକୁ ଖସିଯାଇଥିଲେ। ଫଳରେ ତାଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଖବରପାଇ ଦମକଳବାହିନୀ ମୃତଦେହ ଉଦ୍ଧାର କରି କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର