ଦଶପଲ୍ଲା: ଦୋକାନ ଉପରେ ଚଢ଼ିଗଲା ପର୍ଯ୍ୟଟକ ବସ, ୧୦ ଆହତ

ପର୍ଯ୍ୟଟକ ବସଦଶପଲ୍ଲା: ବଲାଙ୍ଗୀର ଜିଲ୍ଲା ଲୁଇସିଂହାରୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ପର୍ଯ୍ୟଟକମାନଙ୍କ ବସ୍‌ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଭାରସାମ୍ୟ ହରାଇ ଏକ ରାସ୍ତାକଡ଼ କେବିନ୍‌ ଦୋକାନ ଉପରେ ମାଡ଼ିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ , ଦମକଳ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲୁଇସିଂହା ଅଞ୍ଚଳର କେତେକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଡ଼ି ୦ ୩ ଜି ୮୦୭୧ ନମ୍ବର ବିଶିଷ୍ଟ ‘ଚକାଡୋଳା’ ନାମକ ଏକ ଘରୋଇ ବସରେ ପୁରୀ ଅଭିମୁଖେ ଅସୁଥିଲେ। ସେମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଠାରେ ଯାଉଥିବା ବେଳେ ରାତି ପ୍ରାୟ ୪ଟା ବେଳେ ବସଟି ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ରାସ୍ତାକଡ଼ରେ ଥିବା ଏକ କେବିନ୍‌ ଦୋକାନ ଉପରେ ବସ୍‌ଟି ଚଢ଼ିଯାଇଥିଲା। ଏହି ଦୁର୍ଘଟଣରେ ବସର ଆଗପଟେ ବସିଥିବା ୧୦ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍‍୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର