ବାହାନଗା: ଡମ୍ପରକୁ ପଛରୁ ପିଟିଲା ଟ୍ରକ୍‌, ସାନଭାଇ ମୃତ, ବଡ଼ଭାଇ ଗୁରୁତର

ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରେ ବ୍ରେକ୍‌ ଡାଉନ ହୋଇଥିବା ଏକ ଡମ୍ପରକୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଲୁହାପଥର ବୋଝଇ ଟ୍ରକ୍‌ର ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ୟାସ କଟର ଯୋଗେ ଟ୍ରକ୍‌କୁ କାଟି ମୃତାହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହାତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୨ଟା ବେଳେ ଖନ୍ତାପଡ଼ା ନିକଟରେ ଏକ ଡମ୍ପର ବ୍ରେକ୍‌ ଡାଉନ ହୋଇ ରାସ୍ତା କଡ଼ରେ ରଖାଯାଇଥିଲା। ଏହି ସମୟରେ ଡବ୍ଲ୍ୟୁ ବି ୩୩ ବି ୬୮୮୫ ନମ୍ବର ବିଶିଷ୍ଟ ଲୁହାପଥର ବୋଝେଇ ହୋଇଥିବା ଏକ ୧୪ ଚକିଆ ଟ୍ରକ୍‌ ଦୃତ ଗତିରେ ଆସି ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଡମ୍ପରଟି ରାସ୍ତା ତଳକୁ ଖସିଯାଇ ସେଠାରେ ଥିବା ନୟନଜୋରରେ ବୁଡ଼ି ଯାଇଥିଲା। ସେହିପରି ଦୁର୍ଘଟଣାରେ ଟ୍ରକ୍‌ର ହେଲପର ଓ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିିଲେ। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ବେଳକୁ ଟ୍ରକ୍‌ର ହେଲପର ସରଫରାଜ ଚୌଧୁରୀ(୩୨ ବର୍ଷ)ଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ତାଙ୍କ ବଡ଼ ଭାଇ ତଥା ଡ୍ରାଇଭର ଓ୍ଵାଲିସ ଚୌଧୁରୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିିଲେ। ମୃତାହତ ଦୁଇଜଣଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣପଡ଼ିଛି।

ସମ୍ବନ୍ଧିତ ଖବର