ଡାବୁଗାଁରେ ଚାରି ବର୍ଷର ଝିଅ ଉପରେ ଚଢ଼ିଗଲା ଆନ୍ଧ୍ର ଟ୍ରକ୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ ହୃଦୟ ବିଦାରକ ଟ୍ରକ୍‌ ଧକ୍କାରେ ଜଣେ ୪ ବର୍ଷର ଝିଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ନିକଟ ପଖନାଗୁଡ଼ାର ସବିତା ମାଝୀ। ଟ୍ରକ୍‌ଟି ଝିଅକୁ ପ୍ରାୟ ୫୦୦ ମିଟର ଘୋଷାଡି ନେଇଥିବା ବେଳେ ଦେହର ଅଧିକାଂଶ ଅଙ୍ଗ ରାସ୍ତାରେ ଓ ଟ୍ରକ୍‌ର ଚକରେ ଲାଗି ନଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ ମଇଦଲପୁର ନିକଟ ପଖନାଗୁଡ଼ାର ସବିତା ନିଜ ମା’ କନକ ମାଝୀ ସହ ଅଜା ଘର ଡାବୁଗାଁ ଥାନା ଅଞ୍ଚଳ ମଙ୍ଗରାଚଚରା ଗାଁକୁ କିଛି ଦିନ ତଳେ ବୁଲି ଆସିଥିଲା। ଆଜି ପ୍ରାୟ ୪ଟାରେ ନିଜ ଗାଁ ପଖନାଗୁଡ଼ା ଯିବାକୁ ସବିତା, ମା’ କନକ ମାଝୀ, ଅଜା ମକରନ୍ଦ ଭତରା ଝରିଗୁଡ଼ା ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ। ଠିକ୍‌ ରାସ୍ତା ପାର ହେଉଥିବା ସମୟରେ ଉମରକୋଟରୁ ଡାବୁଗାଁ ପଟକୁ ଆସୁଥିବା ଏକ ଟ୍ରକ (ଏପି ୩୯ଟିଇ-୬୩୭୯) ସବିତାକୁ ଧକ୍କା ଦେଇଥିଲା।

ଝିଅର ଅଧିକାଂଶ ଅଙ୍ଗ ରାସ୍ତାରେ ଓ ଟ୍ରକ୍‌ର ଚକାରେ ଘଷି ହୋଇ ନଷ୍ଟ ହୋଇ ଯାଇଥିଲା ବେଳେ ବଳକା ଅଂଶ ରାସ୍ତାରେ ପଡି ରହିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ସରାଗୁଡ଼ା ରାଜ୍ୟରାଜ ପଥ ଉପରେ ରଖି ଡ୍ରାଇଭର ଚଂପଟ୍‌ ମାରିଥିଲା । ଦୁର୍ଘଟଣା ପରେ ଗ୍ରାମବାସୀ ମୃତ ଝିଅର ପରିବାରକୁ କ୍ଷତିପୂରଣ ଦାବିରେ କିଛି ସମୟ ରାସ୍ତାରୋକ କରିଥିଲେ।

ଉପ ଜିଲ୍ଲାପାଳ ଭାସ୍କର ରଇତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ରେଡ୍‌କ୍ରସ୍‌ ପାଣ୍ଠିରୁ ମୃତ ପରିବାରକୁ ଉପ ଜିଲ୍ଲାପାଳ ୨୦ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ସରାଗୁଡ଼ା ନିକଟରୁ ଟ୍ରକ୍‌ ଟିକୁ ମଧ୍ୟ ଜବତ କରି ତଦନ୍ତ କରୁଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର