ଫୁଲବାଣୀ: ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ବେଙ୍ଗାଲୁରର ୨ ଜଣଙ୍କୁ ଜେଲ ଦଣ୍ଡ

ଫୁଲବାଣୀ: ଗଞ୍ଜେଇ ଚୋରା ଚାଲାଣ କାରାବାର ଅଭିଯୋଗରେ ବେଙ୍ଗାଲୁରର ୨ ଜଣ ଅଭିଯୁକ୍ତଙ୍କୁ ଫୁଲବାଣୀ ଜିଲ୍ଲା ଜଜ୍‌ ଜନାବ ମହମ୍ମଦ ଆଜମଲ ୪ ବର୍ଷ ସଶ୍ରମ କରାଦଣ୍ଡ ସହିତ ୨୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆହୁରି ଅଧିକ ୬ ମାସ କରାଦଣ୍ଡରେ ଦଣ୍ଡିତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହା ନଭେମ୍ବର ମାସ ୨୦ ତାରିଖ ଦିନ ଫୁଲବାଣୀ ସହରର ନୈନା ଲଜ୍‌ରେ ଚଢ଼ାଉ କରି ଅବକାରୀ ବିଭାଗ ବେଙ୍ଗାଲୁରର ଭି ପ୍ରଭାକର ଓ ଆର ଦୟାନନ୍ଦ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ କେଜି ଚୋରା ଗଞ୍ଜେଇ ଜବତ କରିଥିଲା। ଅଭିଯୁକ୍ତଦ୍ୱୟ ବେଙ୍ଗାଲୁରରୁ ଆସି କନ୍ଧମାଳରୁ ଚୋରା ଗଞ୍ଜେଇ କିଣିି ବେଙ୍ଗାଲୁର ଚାଲାଣ କରୁଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ଅବକାରୀ ବିଭାଗ ଏହି ଚଢ଼ାଉ କରିଥିଲା। ସମସ୍ତ ସାକ୍ଷପ୍ରମାଣକୁ ଭିତ୍ତିକରି ଫୁଲବାଣୀ ଜିଲ୍ଲା ଜଜ୍‌ ଜନାବ ମହମ୍ମଦ ଆଜମଲ ଅଭିଯୁକ୍ତମାନଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସୌମେନ୍ଦ୍ର ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର