ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ପୋଡ଼ାଗଲା ୪୫୦ ଗଞ୍ଜେଇ ଗଛ, ୧୮ ଲିଟର ଦେଶୀ ମଦ ଜବତ ସହ ୨ ଗିରଫ

ପାଇକସାହି: ଅନୁଗୁଳ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗୁରୁବାର କଦଳୀବେଣୀ ଜଙ୍ଗଲରେ ଅତର୍କିତ ଭାବେ ଚଢ଼ାଉ କରି ୪୫୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଏଥି ସହିତ ଟିମ ୧୮ ଲିଟର ଦେଶୀ ମଦ ଜବତ କରି ଘଟଣା ସହିତ ସଂପୃକ୍ତ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ କଳଦୀବେଣୀ ଗାଁର ସୁଦର୍ଶନ ପ୍ରଧାନ ଓ ଜରପଡ଼ା ଥାନା ଅନ୍ତର୍ଗତ ଅନନ୍ତପୁର ଗାଁର ଭରତ ବେହେରା।

ସୂଚନା ଅନୁସାରେ କଦଳୀବେଣୀ ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଥିବା ନେଇ ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସେହିପରି ଅବକାରୀ ବିଭାଗ କଳଦୀବେଣୀ ଓ ଅନନ୍ତପୁର ଗାଁରେ ଦେଶୀ ମଦ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା।

ତେବେ ଅତିରିକ୍ତ ଅଧୀକ୍ଷକ କ୍ରିଷ୍ଣା ନାଏକଙ୍କ ନେତୃତ୍ୱରେ ଅବକାରୀ କାର୍ଯ୍ୟାଳୟର ୯ ଜଣିଆ ଟିମ୍‌ ଆଜି ପୂର୍ବାହ୍ନରେ କଦଳୀବେଣୀ ଜଙ୍ଗଲରେ ପହଞ୍ଚି ଅଢ଼େଇ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଥିଲେ। ଟିମ୍‌ ୪୫୦ ଗଞ୍ଜେଇ ଗଛ ନଷ୍ଟ କରିଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ୨ ଲକ୍ଷ ୧୫ ହଜାର ଟଙ୍କା ହେବ ବୋଲି କୁହାଯାଉଛି।

ଅବକାରୀ ବିଭାଗର କର୍ମଚାରୀମାନେ ଗଞ୍ଜେଇ ଗଛ ନଷ୍ଟ କରି ସାରି ଫେରୁଥିବା ବେଳେ କଦଳୀବେଣୀ ଓ ଅନନ୍ତପୁର ଗାଁରେ ବେଆଇନ ଭାବେ ମହୁଲରୁ ପ୍ରସ୍ତୁତ ଦେଶୀ ମଦ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ସୁଦର୍ଶନ ପ୍ରଧାନଙ୍କ ଠାରୁ ୧୦ ଲିଟର ଓ ଭରତଙ୍କ ଠାରୁ ୮ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସମୟରେ ମୋବାଇଲ ସ୍କ୍ଵାର୍ଡ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, କରୁଣାକର ତିରବଣୀ, ଅନନ୍ତ ରାଉତରାୟ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର