ଦେଶୀ ବନ୍ଧୁକ କାରଖାନା ଠାବ, ୨ ଗିରଫ, ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ

ସୋନପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମରୁ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ସୋନପୁର ପୁଲିସ। ଏହି ଘଟଣାରେ ସୋନପୁର ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଏସଂପର୍କରେ ଶନିବାର ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସ୍‌ପି ଦେବୀ ପ୍ରସାଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି ଶ୍ରୀ ଦାଶ କହିଛନ୍ତି, ଦେଶୀ ବନ୍ଧୁକ ବେପାରୀ ନିର୍ମଳ ଯୋଶୀ (୩୩) ସୋନପୁର ତେଲ ନଦୀ ନିକଟରେ ବେଆଇନ ଭାବରେ ଦେଶୀ ବନ୍ଧୁକ ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଁ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ନିର୍ମଳ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଅର୍ଦ୍ଧ ନିମିର୍ତ ପିସ୍ତଲ ମିଳିଥିଲା।

ଏହି ଦେଶୀ ବନ୍ଧୁକ ଏବଂ ଦେଶୀ ପିସ୍ତଲ ସୋନପୁରରେ ବିକ୍ରି ପାଇଁ ନିର୍ମଳ ଆଣିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିର୍ମଳର ସୂଚନାକୁ ଆଧାର କରି ସୋନପୁର ପୁଲିସର ୭ ଜଣିଆ ଟିମ୍‌ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମର ରମେଶ ବେହେରା (୭୬)ଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ରମେଶ ବେହେରାଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଅର୍ଦ୍ଧନିର୍ମିତ ଦେଶୀ ପିସ୍ତଲ, ୩ଟି ଦେଶୀ ବନ୍ଧୁକର ଲୁହା ପାଇପ, ଦେଶୀ ବନ୍ଧୁକର ୨ଟି କାଠ ହ୍ୟାଣ୍ଡେଲ, ଦେଶୀ ପିସ୍ତଲର ୫ଟି ଲୁହା ପାଇପ, ଗୋଟିଏ ଲୁହା ଚିମୁଟା, ଗୋଟିଏ ଲୁହା ହେମ୍ବ୍ରମ, ଗୋଟିଏ ଲୁହା ମେସିନ, ଗୋଟିଏ ଲୁହା ଆରିପତି ଜବତ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର