ନାବାଳକ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ଦୁଇ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଚାଂୟତ ଅନ୍ତର୍ଗତ ବାରିଗାଁର ଦୁଇଜଣ ନାବାଳକ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ପୁରେନ୍ଦ୍ର ମିଣିଆକା ଓ ଟିମା ମିଣିଆକା ନାମକ ଦୁଇଜଣଙ୍କୁ ଗୁରୁବାର ଲକ୍ଷ୍ମୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଆଗରୁ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପ୍ରକାଶ କରିଛି। ପୁଲିସର ସୂଚନା ମୁତାବକ ବାରିଗାଁର ଦୁଇ ଜଣ ନାବାଳକଙ୍କୁ କେହି କୁଲି କାମ କରାଇବାକୁ ଚେନ୍ନାଇ ନେଇଯାଇଥିବା ସେମାନଙ୍କ ପରିବାର ସେପ୍ଟେମ୍ବର ମାସ ୨୬ ତାରିଖରେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କିଛିଦିନ ପରେ ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୁଲିସ ତଦନ୍ତ ଜାରି ରଖିବା ସହ ଚେନ୍ନାଇ ଚାଇଲ୍‌ଡଲାଇନ୍‌ ଓ ସେଠାକାର ପୁଲିସର ସହାୟତା ଲୋଡିଥିଲା। ନାବାଳକ ଦୁହିଁକୁ ସେଠାକାର ଚାଇଲ୍‌ଡ ଲାଇନ ଉଦ୍ଧାର କରି ଲକ୍ଷ୍ମୀପୁର ପୁଲିସକୁ ହସ୍ତାନ୍ତର କରିଥିଲା। ସେହି ସମୟରେ ନାବାଳକ ଦୁଇଜଣଙ୍କ ୧୬୪ରେ ବୟାନ ରେକର୍ଡ କରାଯାଇ ଦାଦନ ଚାଲାଣରେ ସମ୍ପୃକ୍ତ ଥିବା ଗଞ୍ଜାମ ଜିଲ୍ଲାର ଜଣ ଅଭିଯୁକ୍ତକୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା। ପୁଲିସ ଆଜି ପୁଣି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗୌରହରି ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର