ମହଙ୍ଗା ପଡିଲା ଦ୍ୱିତୀୟ ବିବାହ: ଶ୍ୱଶୁର-ଦେଢଶୁରଙ୍କୁ କୋର୍ଟ ଚାଲାଣ, ସ୍ୱାମୀ ଫେରାର

କୋରେଇ: ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ ସ୍ୱାମୀକୁ ମହଙ୍ଗା ପଡିଛି। ପ୍ରଥମ ସ୍ତ୍ରୀର ଅଭିଯୋଗ କ୍ରମେ ଶଶୁର ଓ ଦେଢଶୁରକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଛି। ଏଭଳି ଘଟଣା ଏବେ କୋରେଇ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଅଭିଯୋଗ ମୁତାବକ ମଙ୍ଗଳପୁର ଥାନା ଅନ୍ତର୍ଗତ ମେରଡାକାଟିଆ ଗ୍ରାମର ସେକ୍‌ ଆଜିମୁଦ୍ଦିନଙ୍କ ଝିଅ ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ୨୦୧୭ ଫେବ୍ରୁଆରି ୧୧ ତାରିଖ ମୁସଲିମ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ବିବାହର ୨ ମାସ ପରେ ସାବିନା ଗର୍ଭବତୀ ହେବା ପରେ ଇମ୍ରାନ ଚାକିରି କରିବାକୁ ସାଉଦି ଆରବ ଯାଇଥିଲେ।

ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଶ୍ୱଶୁର ଘର ଲୋକ ଅଧିକ ଯୌତୁକ ଦାବିରେ ସାବିନାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ନିର୍ଯ୍ୟାତନା ସହି ନପାରି ୨୦୧୭ ଜୁଲାଇ ୧୨ରେ ସାବିନା ବାପଘରକୁ ପଳାଇଯାଇଥିଲେ। ପରେ ବାପଘରେ ସାବାନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିଛିଦିନ ପରେ ଇମ୍ରାନ ବିଦେଶରୁ ଫେରିଥିଲେ ମଧ୍ୟ ସାବିନା ଓ ତାଙ୍କ ପୁଅକୁ ଗ୍ରହଣ କରିନଥିଲେ କି ଘରକୁ ନେଇନଥିଲେ। ପରେ ନିଜର ଥଇଥାନ ଓ ପିଲାର ଭରଣପୋଷଣକୁ ନେଇ ସାମିନା ୨୦୧୯ ଜୁନ ୧୧ରେ ମଙ୍ଗଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ୧୪୪/୧୯ରେ ଏକ ମାମଲା ରୁଜୁ କରି ହାତବାନ୍ଧି ବସିଥିଲା।

ଏପଟେ ଇମ୍ରାନ କୋରେଇ ଥାନା ଅନ୍ତର୍ଗତ ମାଲଦା ଠାରେ ଦ୍ୱିତୀୟ ବିବାହ କରିବାକୁ ସଜବାଜ ହେଇଥିଲେ ହେଲେ ଇମ୍ରାନ ଦ୍ୱିତୀୟ ବିବାହ କରୁଥିବାରୁ ଖବର ପାଇ ସାବିନା ନିଜ ସର୍ମ୍ପକୀୟଙ୍କ ସହିତ ମାଲଦା ଗ୍ରାମରେ ନିଜ ପିଲାକୁ ଧରି ପହଁଚି ବିରୋଧ କରିଥିଲେ। ହେଲେ ଇମ୍ରାନ ଓ ତାଙ୍କ ପରିବାର ସେଠାରେ ସାବିନାଙ୍କୁ ମାଡମାରି ଘଟଣାସ୍ଥଳରୁ ବିଦା କରିଥିଲେ ଏନେଇ ସାବିନାଙ୍କ ଭାଇ ସେକ୍‌ ସନି କୋରେଇ ଥାନାରେ ଅଭିଯୋଗ କରିବା ପରେ କୋରେଇ ପୁଲିସ ମାମଲା ରୁଜୁ କରିବା ସହିତ ସାବିନାଙ୍କ ଶଶୂର ଲାଲ ଖାଁ ଓ ଦେଢଶୁର ମୁଜବିର ଖାଁକୁ ଗିରଫ କରିଛି।

ସମ୍ବନ୍ଧିତ ଖବର