ଗାଧୋଇବାକୁ ଯାଇଥିବା ନାବାଳିକାକୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ହରଭଙ୍ଗା: ଗାଧୋଇବାକୁ ଯାଇଥିବା ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଲେଖ ଦିଗାଲ ଓ ସନ୍ତୋଷ ପ୍ରଧାନ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଲିକପଡା ପଞ୍ଚାୟତରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ସୂଚନା ଅନୁସାରେ ନାଳକୁ ଗାଧୋଇବାକୁ ଯାଇଥିବା ଜଣେ ୧୭ବର୍ଷର ନାବଳିକାକୁ ଏକୁଟିଆ ପାଇ ୨ଜଣ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକା ପରିବାର ଲୋକଙ୍କୁ ଘଟଣା ସଂପର୍କରେ କହିବା ପରେ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ବୁଧବାର ରାତି ଭାପୁର ଗ୍ରାମର ଅଲେଖ ଦିଗାଲ ଓ ହାତିଗଡ଼ ଗ୍ରାମରୁ ସନ୍ତୋଷ ପ୍ରଧାନ ନାମକ ଦୁଇ ଜଣ ଅଭିଯୁକ୍ତ ଗିରଫ କରିଥିଲା। ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବାକୁ ବୌଦ୍ଧ ମୂଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ ଗତ ୫ ତାରିଖ ଦିନ ପୀଡ଼ିତା ସବୁଦିନ ଭଳି ସକାଳ ପ୍ରାୟ ୯ଟା ସମୟରେ ନାଳକୁ ଗାଧୋଇବାକୁ ଯାଇଥିଲେ। ସେ ମୁହଁରେ ସାବୁନ ଲଗାଇଥିବା ସମୟରେ ନିରୋଳାର ସୁଯୋଗ ନେଇ ଅଲେଖ ଓ ସନ୍ତୋଷ ମୁହଁରେ ଗାମୁଛା ବାନ୍ଧି ନାଳରୁ ପ୍ରାୟ ୧କିମି ଦୂରକୁ ଟେକିନେଇ ଏକ ନିଛାଟିଆ ସ୍ଥାନରେ ଜଣକ ପରେ ଜଣେ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ପରେ ଅଭିଯୁକ୍ତ ଦୁହେଁ ନାବାଳିକାଙ୍କ ଗାଲରେ ଚାପୁଡ଼ା ମାରି ଏ କଥା ଯଦି କାହାକୁ କହିବୁ ତୋତେ ଓ ତୋର ପରିବାରକୁ ଜୀବନରେ ମାରି ଦେବୁ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର