ଗାଈ-ବାଛୁରୀଙ୍କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ୍‌ ଓଲଟିଲା, ୨ ମୃତ ଓ ୨୦ ଗୁରୁତର

ନବରଙ୍ଗପୁର: ଗାଈ ଓ ବାଛୁରୀଙ୍କୁ ବଞ୍ଚାଇବାକୁ ଯାଇ ଆଜି ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ‘ମୃଗ ବିହାର’ ନିକଟରେ ଘଟିଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଜୟପୁର ଠାରୁ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ପାପଡ଼ାହାଣ୍ଡିର ମୃଗ ବିହାର ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଗାଈ ଓ ବାଛୁରୀମାନେ ରାସ୍ତା ଅତିକ୍ରମ କରୁଥିଲେ। ଗାଈ ଓ ବାଛୁରୀଙ୍କୁ ବଞ୍ଚାଇବା ପାଇଁ ଚାଳକ ବସ୍‌କୁ ଡାହାଣ ପାର୍ଶ୍ୱକୁ ନେଇଥିଲେ। ମାତ୍ର ସେ ଭାରସାମ୍ୟ ହରାଇବାରୁ ବସ୍‌ଟି ବାମ ପାର୍ଶ୍ୱକୁ ଓଲଟି ପଡ଼ିଥିଲା।

ଆଜି ଅପରାହ୍ନ ପ୍ରାୟ ୪ଟାରେ ଯାତ୍ରୀବାହୀ ବସ୍‌ ‘ଜଗା କାଳିଆ’ ଦୁର୍ଘଟଣା ହେବାର ସୂଚନା ମିଳିବା ପରେ ନବରଙ୍ଗପୁର ଏସ୍‌ପି ନୀତିନ କୁଶଲକର ନିଜେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଅଳ୍ପ ସମୟ ପରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବସ୍‌ ତଳେ ଚାପି ହୋଇଯାଇଥବା ୨ ଜଣ ଯାତ୍ରୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଏକ ଜେସିବି ଦ୍ୱାରା ବସ୍‌କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଅଧ ଘଣ୍ଟା ଯାଏଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଲୋକଙ୍କର ଭିଡ଼ ଲାଗିଥିଲା। ଗମନାଗମନ କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର