ଗଂଜାମ: ଘରକାମ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୩ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘର ମାଲିକଙ୍କ ସମେତ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁର ଅଳକାପୁରୀସ୍ଥିତ ୬ ଲାଇନରେ ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେହିପରି ଜଗଦଲପୁରରେ ନିଜ ଘରେ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସୂଚନାପ୍ରକାରେ, ଅଳକାପୁରୀରେ ନୂଆ ଘର ନିର୍ମାଣ କରୁଥିବା ସାଉଥକୋର ଅକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ବେହେରାଙ୍କ ଛାତ ଉପରୁ ଆଜି ସେଣ୍ଟ୍ରି ଖୋଲାଯାଉଥିଲା। ସେଣ୍ଟ୍ରି ଖୋଲିବା କାମ ନେଇଥିଲେ ସଦାନନ୍ଦବିହାରର ମିସ୍ତ୍ରୀ ଅରୁଣ କୁମାର ସାବତ। ୪ ଜଣ ଶ୍ରମିକଙ୍କ ସହ ଅରୁଣ ଛାତ ଉପରେ ରହି କାମ କରୁଥିଲେ। ଏକ ଲୁହା ରଡ଼ ଧରି ଅରୁଣ କାମ କରୁଥିବା ବେଳେ ଘର ନିକଟ ଦେଇ ଲମ୍ବିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଆଘାତ ଲାଗିବା ପରେ ସେ ଛାତ ଉପରେ ପଡି ଛଟପଟ ହୋଇଥିଲେ। ଉପସ୍ଥିତ ଶ୍ରମିକମାନେ ଅରୁଣଙ୍କୁ ତଳକୁ ଆଣିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏପଟେ ତାରରେ ପଡିରହିଥିବା ଲୁହା ରଡକୁ ଏକ ଝାଡୁ ସାହାଯ୍ୟରେ କାଢ଼ିବାକୁ ଯାଇ ଘର ମାଲିକ ଶରତ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ୨ ଜଣକୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବର ପ୍ରସାରିତ ହେବା ପରେ ବଡ଼ମେଡିକାଲରେ ସାଉଥକୋ କର୍ମଚାରୀଙ୍କ ଭିଡ ଜମିଥିଲା। ଅନ୍ୟପକ୍ଷରେ ଆଜି ଦିନ ୧୨ଟା ବେଳେ ଜଗଦଲପୁରର କାଳିଆ ସେଠୀ ନିଜ ଘରେ ଫ୍ୟାନ ସୁଇଚ ଲଗାଇବା ବେଳେ ବିଦ୍ୟୁତ ଆଘାତ ପାଇଥିଲେ। ତାଙ୍କର ମଧ୍ୟ ବଦମେଡିକାଲରେ ମୃତୁ ହୋଇଯାଇଛି। ୩ ଜଣକ ଶବ ଉଦ୍ଧାର କରି ସଦର ଥାନା ପୁଲିସ ବ୍ୟବଛେଦ କରାଇଛି।

ସମ୍ବନ୍ଧିତ ଖବର