ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ବାଇପାସ୍ରୋଡ଼ ନିକଟ କଣ୍ଟାନାଳି ଛକରେ ଆଜି ଅପରାହ୍ନରେ ଏକ ଟ୍ରକ୍ ଓ ମୋଟର ସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ମୃତ ପୁରୁଷ ଜଣକ ଯାଜପୁର ଅଞ୍ଚଳର ବୋଲି କୁହାଯାଉଛି। ତାଙ୍କର ନାମ ରାଖାଲ ସାମଲ। ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ରାଖାଲ ସାମଲ ଆଜି ଅପରାହ୍ନରେ ଜଣେ ମହିଳାଙ୍କୁ ମୋଟର ସାଇକେଲ୍ (ଓଡି ୦୨ ଟି-୫୨୪୫)ରେ ବସାଇ କଟକରୁ ଅନୁଗୁଳ ଅଭିମୁଖେ ଯାଉଥିଲେ। ସେ କଣ୍ଟାନାଳି ଛକରେ ପହଞ୍ଚିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୧୬ ଚକିଆ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଖାଲ ଓ ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଟ୍ରକ ଓ ମୋଟର ସାଇକେଲ୍ ମୁହାଁମୁହିଁ ଦୁର୍ଘଟଣା ହେବା ପରେ ବାଇପାସ ଦେଇ ଯାଉଥିବା ଲୋକେ ସେଠାରେ ଅଟକି ଥିଲେ। ଉପସ୍ଥିତ ଲୋକେ ଦୁର୍ଘଟଣା ନେଇ ପୁଲିସକୁ ସୂଚନା ଦେଇଥିଲେ। ଏହି ସମୟରେ କେହି ଜଣେ ଲୋକ ରାଖାଲଙ୍କ ମୋବାଇଲକୁ ଫୋନ୍ କରିବାରୁ ପରିଚୟ ମିଳିପାରିଥିଲା। ମାତ୍ର ମହିଳାଙ୍କର ପରିଚୟ ମିଳିପାରି ନାହିଁ। ରାଖାଲ ଏକ ଫାଇନାନ୍ସ କମ୍ପାନିରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି।
ଦୁର୍ଘଟଣା ସଂପର୍କରେ ଲୋକଙ୍କ ଠାରୁ ସୂଚନା ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହ ଉଦ୍ଧାର କରିବା ସହ ଟ୍ରକ (ସିଜି ୦୬ ଜି-୭୫୨୩)ର ଚାଳକଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଟ୍ରକକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।