ନବରଂଗପୁର: ବଜ୍ରାଘାତରେ ଜଣେ ଛାତ୍ରୀଙ୍କ ସମେତ ୨ ମୃତ, ୨ ବଳଦ ମୃତ

ନବରଙ୍ଗପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ମଙ୍ଗଳବାର ଜଣେ ଛାତ୍ରୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଗୋଟି ବଳଦ ମୃତ୍ୟୁ ହୋଇଛି। ନନ୍ଦାହାଣ୍ଡି ବ୍ଲକର ଧୋଣ୍ଡା ପଞ୍ଚାୟତର ଖଡିଆଗୁଡା ଗ୍ରାମର ଟଙ୍କଧର ଭତ୍ରାଙ୍କ ଝିଅ ଉମା ବତି ଭତ୍ରା(୧୪) ନିଜ ବାରିପଟେ ଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ସେ ନିଶନାହାଣ୍ଡି ହାଇସ୍କୁଲରେ ୮ମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି।

ତେନ୍ତୁଳିଖୁଣ୍ଟି ବ୍ଲକର ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ନାଗି ପଞ୍ଚାୟତର ବାଗବେଡା ଗାଁ ଅଞ୍ଚଳରେ ବଜ୍ରପାତରେ ମନଧର ମାଝୀ(୨୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ସୋମନାଥ ମାଝୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

ଡାବୁଗାଁ ଥାନା ଅନ୍ତର୍ଗତ ରାହାଲିଗୁଡା ଗ୍ରାମର ନେତ୍ରା ଗୌଡଙ୍କ ୨ ଗୋଟି ବଳଦ ବଜ୍ରାଘାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଞ୍ଚାୟତର କୁରମାକୋଟ ଗ୍ରାମର ଭାନୁମତି କରକରା ଓ ଅନ୍ୟ ଜଣେ ପୁରୁଷ ଆମ୍ବଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବଜ୍ରାଘାତରେ ସାମାନ୍ୟ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର