ଝାରସୁଗୁଡ଼ା: ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କର, ୨ ଜଣଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକଙ୍କର ରାସ୍ତାରୋକ

ଝାରସୁଗୁଡ଼ା: ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲି ନିକଟରେ ଶନିବାର ୨ ଜଣ ବାଇକ ଆରୋହୀଙ୍କ ଉପରେ ଟ୍ୟାଙ୍କର ଚଢ଼ିଯାଇଛି। ସମ୍ବଲପୁର ଠାରୁ ରାଉରକେଲା ଯାଇଥିବା ବିଜୁ ଏକ୍ସପ୍ରେସ୍‌ରେ ଆଜି ସନ୍ଧ୍ୟା ୬ଟା ୩୦ରେ ଏହି ଘଟଣା ଘଟିଛି। ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ବଂଚାଇବା ପାଇଁ ଟ୍ୟାଙ୍କର ଚାଳକ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶେଷରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ୟାଙ୍କରଟି ଓଲଟି ଯିବା ପରେ ଚାଳକ ଘଟଣାସ୍ଥଳରୁ ଫେରାର ଅଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

ସୂଚନା ଅନୁସାରେ ଝାରସୁଗୁଡ଼ା ଟାଉନ୍‌ ଥାନା ଅନ୍ତର୍ଗତ ସରବାହାଲ ଅଂଚଳର ଗୌରପଡ଼ାର ଦୁଇ ଯୁବକ ସୁମିତ ସାହୁ (୨୩) ଓ ନୀତିନ ସରାଫ (୨୨) ସମ୍ବଲପୁର ଲପଙ୍ଗା ଯାଇଥିଲେ। ସେଠାରୁ ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ୬୦ ଲକ୍ଷ ଟଙ୍କା ଦାବି କରି ରାସ୍ତାରୋକ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।

ସମ୍ବନ୍ଧିତ ଖବର