ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ, ୨ ମୃତ ଓ ୪ ଗୁରୁତର

ଅନୁଗୁଳ: ସମଲ ଥାନା ଅନ୍ତର୍ଗତ ନାଇକାନାଳି ନିକଟରେ ଶୁକ୍ରବାର ଅଟୋ-ଟ୍ରକ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଭାବେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ପରଜଙ୍ଗ ଥାନା ଭେଜିଆ ଗାଁର ଶାନ୍ତି ବେହେରା ଏବଂ ଗୋଲାପ ବେହେରା।

ସୂଚନା ଅନୁସାରେ କିଛି ଲୋକଙ୍କୁ ନେଇ ଅଟୋ ଖମାରରୁ ପିତିରି ଯାଉଥିଲା। ଗଣିଘଷା ଗାଁରେ ଥିବା ନିଜ ଝିଅ ଘରକୁ ଯାଇ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ସାମ୍ନାରୁ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇ ପଠାଇଛି। ଉତ୍ତେଜିତ ଲୋକେ ଜାତୀୟ ରାଜପଥ ୧୪୯ ଅବରୋଧ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଆଜି ଅନୁଗୁଳର ହଣ୍ଡପା ଥାନା ଅଧିନସ୍ଥ ପାଗବନ୍ଧା ନିକଟରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୫୫ରେ ଏକ ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା ଯୋଗୁଁ ଟ୍ରକ ଚାଳକ ଦୀପକ ସ୍ୱାଇଁଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ଭାଇ ଦେବବ୍ରତ ସ୍ୱାଇଁ ଗୁରୁତର ହୋଇଛନ୍ତି । ଦୀପକ ଏବଂ ଦେବ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ଭଦ୍ରକରୁ ସମ୍ବଲପୁର ଧୂପକାଠି ବ୍ୟବସାୟ ପାଇଁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର