ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଭୁଜାଲି ମାଡରେ ଦୁଇ ଗୁରୁତର, ଜାତୀୟ ରାଜପଥ ଅବରୋଧ

ବାରିପଦା: ଟାଉନ ଥାନା ଅନ୍ତର୍ଗତ ତକତପୁର ଠାରେ ଆଜି ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ଭୁଜାଲି ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକମାନେ ହେଲେ ବିଦୁ କିସ୍କୁ ଓ ମାଟୁ ମାରାଣ୍ଡି । ବିଦୁ ଓ ମାଟୁଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ଘଟଣା ପରେ ଉତ୍ୟକ୍ତ ଲୋକେ ଦୁଇ ଘଣ୍ଟା ଧରି ବାରିପଦା ସହର ତକତପୁର ଠାରେ ୧୮ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗମନାଗମନ ପ୍ରଭାବିତ ହୋଇଛି।

ସୂଚନା ମୁତାବକ ଗତ ୧୩ ତାରିଖରେ ବାରିପଦା ସହରର କାଲିଆ ଛକ ନିକଟରେ କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଏହି ଘଟଣାରେ ସଂଘବଦ୍ଧ ଭାବେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଜଣେ ଯୁବକକୁ ବୁଡ଼ିଆରେ ଛେଚି ଲହୁଲୁହାଣ କରିଥିଲେ। ଉକ୍ତ ଯୁବକକୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ଯୁବକଟି ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସ୍ଥାନୀୟ ଆଦିବାସୀମାନେ ଏହି ଘଟଣାକୁ ଗୁରୁତର ସହ ନେଇଥିଲେ। ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରୁଥିଲେ। ଏଥି ସହ ସେମାନେ ଆଜକୁ ତିନି ଦିନଧରି ଘଟଣାରେ ସଂପୃକ୍ତ କିଛି ଅସାମାଜିକ ଯୁବକଙ୍କ ଧମକ ଚମକ ଭୟରେ ଆଜି ଦିନ ୩ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଉଥିଲେ। ଯିବା ସମୟରେ ଅନ୍ୟ ଗୋଷ୍ଠୀର ଲୋକମାନେ ଖବର ପାଇ ତକତପୁର ଛକଠାରେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଅଣର୍କିତ ଆକ୍ରମଣ କରିଥିଲେ।

ଆନ୍ଦୋଳନକାରୀଙ୍କ କହିବା ମୁତାବକ ପୁଲିସ ପିସିଆର୍‌ ଭ୍ୟାନ ଏବଂ ପୁଲିସର ଉପସ୍ଥିତରେ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ବାରିପଦା ଟାଉନ ଥାନାର ଆଇ.ଆଇ.ସି, ସଦର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧିତ ଖବର