ପୋଲସରାରେ ସିରିଜ ବୋମା ମାଡ଼, ୨ ଜଣ ଗୁରୁତର

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ବସ୍‌ ଷ୍ଟାଣ୍ଡରେ ଶନିବାର ରାତି ଦୁର୍ବୃତ୍ତମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଲୋକେ ବସ୍‌ରେ ଘରକୁ ଯିବା ପାଇଁ ବ୍ୟସ୍ତ ଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ବୋମା ମାଡ଼ କରିଛନ୍ତି। ସୂଚନା ଅନୁସାରେ ପୋଲସରାସ୍ଥିତ ବଜାର ଛକ ଓ ରାଣିପଡ଼ା ଛକରେ ଦୁର୍ବୃତ୍ତମାନେ ୨ଟି ବୋମା ଫିଙ୍ଗିଛନ୍ତି। ସେହିପରି ବାଲିଘାଇ ଛକରେ ମଧ୍ୟ ଗୋଟିଏ ବୋମା ମାଡ଼ କରିଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ କ୍ରମାଗତ ଭାବେ ୫ଟି ବୋମା ଫିଙ୍ଗି ଫେରାର ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ୨ ଜଣ ଗୁରୁତର ଅଛନ୍ତି। ଆହତମାନେ ହେଲେ ଅନିଲ ମଲ୍ଲିକ ଓ ଶଙ୍କର ସାହୁ। ଉଭୟଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର