କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଳ ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ‘ଓମିନି’ ମୋଟର ସାଇକେଲକୁ ମୁହାଁମୁହିଁ ଧକ୍କା ଦେବାରୁ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କିଶୋର ସ୍ୱାଇଁ ବୋଲି ଜଣାପଡ଼ିଛି। ସେ ମୋଟର ସାଇକେଲ୍ରେ ଆରୋହୀ ଥିବାର ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ମନମୁଣ୍ଡା ଠାରୁ କଣ୍ଟାମାଳ ଅଭିମୁଖେ ଯାଉଥିବା ଓମିନି ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ (ଓଡି ୩୧ଏଫ୍-୮୫୩୨)କୁ ମୁହାଁମୁହିଁ ଧକ୍କା ଦେଇଥିଲା। ମୋଟର ସାଇକେଲରେ ୨ ଜଣ ଲୋକ ଥିବା ବେଳେ ଓମିନିରେ ବସିଥିଲେ ୫ ଜଣ। ସୂଚନା ପାଇଁ ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ଘଟଣାସ୍ଥଳରେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୋପାଳମାଳ ଗ୍ରାମର ମୋଟର ସାଇକେଲ ଆରୋହୀ କିଶୋର ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଚାରି ଜଣଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ନାମ ଜଣାପଡ଼ି ନାହିଁ।
ତେବେ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ସ୍ଥାାନୀୟ ଲୋକେ ଉତ୍ତେଜିତ ଦେଖାଯିବା ସହ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାରୋକ ଯୋଗୁଁ ଶତାଧିକ ଗାଡ଼ି ଅଟକି ରହିଛି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି।