ବେଲପାହାଡ଼: ମର୍ଣ୍ଣିଂ ଓ୍ଵାକ୍‌ ବେଳେ ଅଜଣା ଟ୍ରକ୍‌ ଧକ୍କାରେ ୨ ଯୁବକ ମୃତ, ରାସ୍ତା ଅବରୋଧ

ବ୍ରଜରାଜନଗର: ଆଜି ସକାଳେ ମର୍ଣ୍ଣିଂ ଓ୍ଵାକ୍‌ କରିବାକୁ ଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଦୁଇଜଣ ଯୁବକଙ୍କର ମତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ବୁର୍ଲା ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଇତିବା ୪୯ ନମ୍ବର ଜାତୀୟ ରାଜପଥର ବେଲପାହାଡ଼ ଶିବମହିମା ଛକ ଲିମିଟିକିରା ଘିଚାଘାଟ ଶ୍ମଶାନ ନିକଟରେ ଆଜି ସକାଳୁ ସ୍ଥାନୀୟ କୁର୍ମୀପଡ଼ାର ୩ ଜଣ ଯୁବକ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିଲେ। ଏହି ସମୟରେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୁଧିରାମ ପଟେଲ(୨୨ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ନକୁଳ ଛତ୍ରିଆ(୨୨ ବର୍ଷ)ଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟତମ ଆହତ ନିତେଶ ଛତ୍ରିଆଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମହିଳା ଓ ପୁରୁଷମାନେ ଶବ ରାସ୍ତା ଉପରେ ରଖି ଆନ୍ଦୋଳନ ଚଳାଇଛନ୍ତି।ବେଲପାହାଡ଼ ରେଳେଓ୍ଵ ବ୍ରିଜ୍‌ କାର୍ଯ୍ୟକ୍ଷମହେବା ପରେ ଶିବମହିମା ଛକରେ ଟ୍ରାଫିକ ବଢ଼ିଯାଇଛି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ଆଲୋକ ବ୍ୟବସ୍ଥା ସହିତ ଟ୍ରାଫିକ ପୁଲିସ ମୂତୟନ ପାଇଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର