ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯

ବଲାଙ୍ଗୀର/ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥବା ବେଳେ ଏଥର କିନ୍ତୁ ବଲାଙ୍ଗୀର ସହରରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨ ଆକ୍ରାନ୍ତ ତାଲପାଲିପଡ଼ା ଅଞ୍ଚଳର । ସେମାନେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ କିମସ୍ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୭୩୯ ହୋଇଛି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଦୁଇ ପଜେଟିଭ ରୋଗୀ ଗତ ୯ ତାରିଖରେ ସୁରଟରୁ ବଲାଙ୍ଗୀର ପହଞ୍ଚିଥିଲେ । ସେମାନଙ୍କୁ ସୁଦପଡାସ୍ଥିତ କଲ୍ୟାଣମଣ୍ଡପରେ କ୍ୱାରାଣ୍ଟିନରେ ରଖାଯାଇଥିଲା । ଗତ ୧୧ ତାରିଖ ଦିନ ଦୁଇ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ସେହି ଦୁଇ ଜଣଙ୍କ ପଜେଟିଭ ଆସିଥିଲା । ପଜେଟିଭ ଦୁଇ କରୋନା ରୋଗୀଙ୍କୁ ଭୁବନେଶ୍ୱର କିମସକୁ ପଠାଯାଇସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଦୁଇ ପଜେଟିଭ ରୋଗୀ ଆଉ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ସ୍ୱାବ ସଂଗ୍ରହ କରାଯିବ । ସେଥିପାଇଁ କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଛି ।

ରାଜ୍ୟରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ୮୬ ହଜାର ୧୪୦ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ୭୩୯ଟି ନମୁନା ପଜିଟିଭ ଚିହ୍ନଟ ହୋଇଛି । ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫୭୦ ଜଣ ଚିକିତ୍ସାଧୀନ ଅଛନ୍ତି । ୩ ଜଣ ବ୍ୟକ୍ତି ଜୀବନ ହରାଇଛନ୍ତି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬ ଜଣ, ଭଦ୍ରକ ଜିଲ୍ଲାରୁ ୪୬ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୬-୨୬ ଜଣ, ପୁରୀ ଜିଲ୍ଲାରୁ ୧୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୧୦ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାରୁ ୪-୪ ଜଣ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର