୨ କୋର୍ଟ ଚାଲାଣ, ର‍୍ୟାକେଟକୁ ଖୋଜୁଛି ପୁଲିସ

ପିକ୍‌ଅପ୍‌ ଭ୍ୟାନରେ ଡିଜେଲ ଚୋରା ଚାଲାଣ ମାମଲା

ଦେଓଗାଁ, : ଡିଜେଲ ଚୋରା ଚାଲାଣ ବେଳେ ଧରା ପଡ଼ିଥିବା ପିକ୍‌ଅପ୍‌ ଭ୍ୟାନ୍‌ର ଚାଳକ ନୀଳାମ୍ବର ମାହାର ଓ ତାଙ୍କ ସାଙ୍ଗରେ ଥିବା ଶ୍ୟାମ ସୁନ୍ଦର ରାଓଙ୍କୁ ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଏବେ ଏହି ଚୋରା ଚାଲାଣର ଚେର ଖୋଜିବାରେ ଲାଗିଛି ପୁଲିସ। ଏହି କାରବାରରେ ଏକ ର‍୍ୟାକେଟ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ଏନେଇ ତୁଷରା ଥାନା କେସ୍‌ ନଂ ୨୭୨/୧୭ରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଏସଆଇ ଜଗତ ଜୀବନ ସା ତଦନ୍ତ ଦାୟିତ୍ୱ ନେଇଛନ୍ତି। ବଲାଙ୍ଗୀର ଯୋଗାଣ ବିଭାଗ ଜବତ ଡିଜେଲକୁ ନିଜ ଦାୟିତ୍ୱ ନେଇଛି।

ପୁଲିସ ତଦନ୍ତରୁ ଜାଣି ପାରିଛି ଯେ, ସପ୍ତାହକୁ ୩ ଦିନରୁ ଅଧିକ ହଜାର ହଜାର ଲିଟର ଡିଜେଲ ଚୋରା ଚାଲାଣ ହେଉଥିଲା। ମୁଖ୍ୟ ଅଭିଯୁକ୍ତ ପରଦା ପଛରେ ରହି ଏହି କାରବାର କରୁଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଡିଏସ୍‌ କିରୋସିନ ସଂଗ୍ରହ କରି ଡିଜେଲ ଟ୍ୟାଙ୍କରରୁ ଡିଜେଲ କାଢ଼ି କିରୋସିନ ଭର୍ତ୍ତି କରି ଅପମିଶ୍ରଣ କରାଯାଉଥିଲା। ଏହା ଦ୍ୱାରା ଉଚିତ ମୂଲ୍ୟ ଦେଇ ମଧ୍ୟ ନିମ୍ନମାନର ଡିଜେଲ ଲୋକେ ପାଉଥିଲେ। ବର୍ଷ ବର୍ଷ ହେଲା ଏହି ବ୍ୟବସାୟ ଚାଲିଥିଲେ ମଧ୍ୟ କେହି ଧରାପଡ଼ି ନ ଥିଲେ। ପୂର୍ବରୁ ଜାଲ ବିଛାଇ ଥିବା ଦେଓଗାଁ ଫାଣ୍ଡି ଅଧିକାରୀ ଗୋପୀନାଥ ମହାକୁଡ଼ ରବିବାର ସଫଳତା ପାଇଥିଲେ।

ସବୁ ଦିନ ପରି ରବିବାର ସକାଳେ ପିକ୍‌ଅପ୍‌ ଭ୍ୟାନ (ଓଆର୧୫ ଜେ ୫୨୪୦)ରେ ୧୨ଟି ୨ ଶହ ଲିଟର ରହୁଥିବା ଡ୍ରମରେ ଭର୍ତ୍ତି ଥିବା ଡିଜେଲ, ଏକ ପାଣି ପମ୍ପ ସହ କିଛି ପ୍ଲାଷ୍ଟିକ ପାଇପକୁ ଦେଓଗାଁ କଲେଜ ଛକରେ ଜବତ କରିଥିଲେ। ଗାଡ଼ିରେ ଥିବା ଅଭିଯୁକ୍ତ ଦ୍ୱୟ ସନ୍ତୋଷଜନକ ଉତ୍ତର ନ ଦେବାରୁ ଦେଓଗାଁ ଫାଣ୍ଡିକୁ ଗାଡ଼ି ନେବାକୁ ନିର୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରୁ ସଇଁତଳା ଜାତୀୟ ରାଜପଥ କଡ଼ର ବିଭିନ୍ନ ସ୍ଥାନରେ ପୂର୍ବରୁ ଯୋଜନା କରି ଚୋରା କିରୋସିନି ଆଣି ଟ୍ୟାଙ୍କରରେ ନିଆଯାଉଥିବା ଡିଜେଲକୁ କାଢ଼ି କିରୋସିନି ମିଶ୍ରିତ କରାଯାଉଥିବା ଅଭିଯୋଗ ହେଉଥିଲା। ଏହି ବେଆଇନ କାମରେ ବଡ଼ ବଡ଼ିଆଙ୍କ ହାତ ଥିବାରୁ ବିରୋଧ କରୁଥିବା ଲୋକଙ୍କୁ କୌଣସି ପ୍ରକାରରେ ଚୁପ୍‌ କରାଯାଉଥିଲା। କିରୋସିନ କେଉଁଠାରୁ ଆସୁଥିଲା ତାହା ତଦନ୍ତ କରାଗଲେ ଦୁର୍ନୀତିର ଚେର ଜଣାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର