ସମ୍ବଲପୁର: ପାଓ୍ଵାର ଚାନେଲରେ ବୁଡ଼ିଗଲେ ଦୁଇ ୧୦ମ ଶ୍ରେଣୀ ଛାତ୍ର

ସମ୍ବଲପୁର: କୋଚିଂ କ୍ଲାସକୁ ପଢ଼ିବାକୁ ଆସିଥିବା ୫ ଜଣ ୧୦ମ ଶ୍ରେଣୀ ଛାତ୍ର କୋଚିଂ ସେଣ୍ଟରକୁ ନ ଯାଇ  ସିଧା ଯାଇଥିଲେ ଝାଙ୍କରପାଲ୍ଲି ମୁଣ୍ଡୋଘାଟସ୍ଥିତ ପାଓ୍ଵାର ଚାନେଲକୁ। ସେଠାରେ ଗାଧୋଉଥିବା ବେଳେ  ହଠାତ ପାଣିରେ ନିଖୋଜ ହୋଇ ଯାଇଥିଲେ ଦୁଇଜଣ ଛାତ୍ର। ଅନ୍ୟ ତିନି ଜଣ ଛାତ୍ର  ନିଜକୁ ସୁରକ୍ଷିତ ପାଓ୍ଵାର ଚାନେଲ ବାହାରକୁ ଆସିିପାରିଥିବାବେଳେ ଦୁଇଜଣ ଛାତ୍ରଙ୍କ  ମୃତଦେହକୁ ଉଦ୍ଧାର କରିଛି ସମ୍ବଲପୁର ଅଗ୍ନିଶମ ବିଭାଗ। ମୃତ ଛାତ୍ର ଦୁଇଜଣ ସମ୍ବଲପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ହୋଇଥିବାରୁ ଆଜି ସେମାନଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତ କରି ସ୍କୁଲ ଛୁଟି ଘୋଷଣା କରାଯାଇଛିି। ଅପରପକ୍ଷେ  ଜୀବନ ହରାଇଥିବା ଦୁଇଜଣ ଛାତ୍ରଙ୍କ ଚକ୍ଷୁ ଦାନ ପାଇଁ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ୧୦ମ ଶ୍ରେଣୀରେ ପଢ଼ୁଥିବା କେତେକ ଛାତ୍ର ଆଜି ଟ୍ୟୁସନ ହେବାକୁ ସିଗ୍‌ମା କୋଚିଂ ସେଣ୍ଟରକୁ ଯାଉଥିଲେ। ମାତ୍ର ଏହି ୫ ଜଣ ଛାତ୍ର କୋଚିଂ ସେଣ୍ଟରରେ ନ  ପହଞ୍ଚି ସିଧା ଗାଧୋଇବାକୁ ଯାଇ ପହଞ୍ଚି ଯାଇଥିଲେ ହୀରାକୁଦ ଡ୍ୟାମ୍‌ ପାଓ୍ଵାର ଚାନେଲରେ। ସେଠାରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଦୁଇଜଣ ଛାତ୍ର ନିଖୋଜ ହୋଇ ଯାଇଥିଲେ। ଖବରପାଇ ସମ୍ବଲପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ପାଓ୍ଵାର ଚାନେଲରେ ଖୋଜାଖୋଜି କରି  ଝାଙ୍କରପାଲି ମୁଣ୍ଡୋଘାଟ ନିକଟରୁ ଦୁଇଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।  ମୃତ ଛାତ୍ର ଦୁଇଜଣ ହେଉଛନ୍ତି  ସମୀର ଦଳେଇ ଓ ସୁମିତ ଦାସ। ଖବର ପାଇ ପରିବାର ଲୋକେ ଡାକ୍ତରଖାନାରେ  ପହଞ୍ଚିଥିଲେ। ପୁଅର ମୃତଦେହ ଦେଖି ଡାକ୍ତରଖାନାରେ ବାପାମା ଓ ସମ୍ପର୍କୀୟମାନଙ୍କ କାନ୍ଦବୋବାଳିରେ ପରିବେଶ  ଫାଟି ପଡ଼ିଛି। ତେବେ  ଅକାଳ ମୃତ୍ୟୁବରଣ କରିଥିବା ଛାତ୍ର ଦୁଇଜଣଙ୍କ  ଚକ୍ଷୁଦାନ ପାଇଁ ଉଭୟ ପରିବାର ନିଷ୍ପତ୍ତି ନେଇଥିିବାରୁ ବୁର୍ଲା ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ  ସେମାନଙ୍କ ଚକ୍ଷୁଦାନ ବ୍ୟବସ୍ଥା କରାଯିବ ବୋଲିି ଜଣାପଡ଼ିଛି।

ସମ୍ବନ୍ଧିତ ଖବର