ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂପର୍କୀୟଙ୍କୁ ଲାଞ୍ଚ ମାଗି ୨ ନିଲମ୍ବିତ, ୧ ବହିଷ୍କୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂପର୍କୀୟମାନଙ୍କୁ ଟଙ୍କା (ଲାଞ୍ଚ) ମାଗି ଆଜି ୨ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବହିଷ୍କୃତ ହୋଇଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ପଣ୍ଡା ଲାଞ୍ଚ କାରବାର ସହିତ ଜଡ଼ିତ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଷ୍ଟାଫ୍‌ ନର୍ସ ଭଗବତୀ ସା ଓ ଝାଡ଼ୁଦାର କୌଶଲ୍ୟା ବାଗ୍‌। ଉଭୟ ଭଗବତୀ ଓ କୌଶଲ୍ୟା ହସ୍‌ପିଟାଲର ନିୟମିତ କର୍ମଚାରୀ ଥିଲେ। ସେହିପରି ସିଡିଏମ୍‌ଓ ଶ୍ରୀ ପଣ୍ଡା ଠିକାଭିତ୍ତିକ ଝାଡ଼ୁଦାର ସସ୍ମିତା ମହାରଣାଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରିଛନ୍ତି।

ସୂଚନା ଅନୁସାରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଳିତ ମାସ ୨୭ ତାରିଖ ରାତିରେ ପ୍ରସୂତି ବିଭାଗରେ ପ୍ରାୟ ୧୫ ଜଣ ମହିଳାଙ୍କ ସଂପର୍କୀୟଙ୍କୁ ଭଗବତୀ, କୌଶଲ୍ୟା ଓ ସସ୍ମିତା ଟଙ୍କା ମାଗିଥିଲେ। ହସ୍‌ପିଟାଲର କର୍ମଚାରୀଙ୍କ ଦାବି ଅନୁସାରେ ଗ୍ରାମାଞ୍ଚଳରୁ ଆସିଥିବା ମହିଳାମାନେ ଘଟଣା ଦିନ ରାତିରେ ସେମାନଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ରାତି ପାହିବା ପରେ ଶନିବାର ମହିଳାମାନେ ଗଣମାଧ୍ୟମକୁ ଡାକି ରାତିର ଘଟଣା ପ୍ରକାଶ କରିଥିଲେ। ଏହି ଲାଞ୍ଚ ଟଙ୍କାକୁ ନେଇ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଥିଲା। ଏହା ପରେ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଥିଲା।

ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଜିଲ୍ଲାପାଳ ଆଜି ସନ୍ଧ୍ୟାରେ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚି ଥିଲେ ଏବଂ ଲାଞ୍ଚ ଦେଇଥିବା ମହିଳାମାନଙ୍କ ସହ କଥା ହୋଇଥିଲେ। ଏହା ପରେ ସେ ଘଟଣା ସହିତ ସଂପୃକ୍ତ ତିନି ଜଣ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର