ମାଳମାଳ ଜାଲ ଶିକ୍ଷକ: ଧରାପଡ଼ିଲେ ପୁଣି ୩ ଜାଲ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଛାଡ଼ିଲେ ଚାକିରି

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଜାଲ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ୪ ଜଣ ଶିକ୍ଷକ ନିକଟରେ ଧରା ପଡ଼ିଥିବା ବେଳେ ପୁଣି ୩ ଜଣ ଶିକ୍ଷକ ଏଭଳି କାମ କରିଥିବା ବୁଧବାର ଜଣାପଡ଼ିଛି। ଚାରି ଜଣ ଶିକ୍ଷକଙ୍କ ମାମଲା ତଦନ୍ତ ଜାରି ଥିବା ବେଳେ ଆଉ ୩ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଜଣାପଡ଼ିଛି। ବିରି ମାଡ଼ରେ କୋଳଥ ଚେପା ହେଲା ଭଳି ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୨ ଜଣ ଶିକ୍ଷକ ଚାକିରିରୁ ଇସ୍ତଫା ଦେଇଛନ୍ତି। ସଂପୃକ୍ତ ୩ ଜଣ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ଓ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ପୂର୍ବରୁ ଧରାପଡ଼ିଥିବା ୪ ଶିକ୍ଷୟିତ୍ରୀଙ୍କ ବିରୋଧରେ ଧରାକୋଟରେ ମାମଲା ରୁଜୁ ହୋଇଛି।

ଥୁରାଥୁରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନୋଦ ଦଶମ ଶ୍ରେଣୀ ପରୀକ୍ଷାରେ କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଟଣା କବିସୂର୍ଯ୍ୟ ଉଚ୍ଚ ବିଦ୍ୟାଳୟରୁ ୫୨୯ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ପ୍ରମାଣପତ୍ର ଦାଖଲ କରିଥିଲେ କିନ୍ତୁ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ସେ ୩୮୦ ନମ୍ବର ରଖି ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିପରି ଘୋଡ଼ାମ୍ବ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ସନ୍ତୋଷ ନିଯୁକ୍ତି ବେଳେ କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଣଣା କବିସୂର୍ଯ୍ୟ ଉଚ୍ଚ ବିଦ୍ୟାଳୟରୁ ୫୨୯ ମାର୍କ ରଖି ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ପ୍ରମାଣପତ୍ର ଦାଖଲ କରିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ସେ ୨୫୨ ନମ୍ବର ରଖି ତୃତୀୟ ଶ୍ରେଣୀରେ ପାସ କରିଥିଲେ।

ଚାଞ୍ଚରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଳରାମ ବିଷୋୟୀ ନିଯୁକ୍ତି ବେଳେ କବିସୂର୍ଯ୍ୟନଗର ଏସ୍‌.ଏମ୍‌ ଉଚ୍ଚବିଦ୍ୟାଳୟରୁ ୫୪୪ ମାର୍କ ରଖି ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣପତ୍ରରେ ଦର୍ଶାଇଥିଲେ। ଯାଞ୍ଚ ବେଳେ ସେ ୩୫୫ ନମ୍ବର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର