ଜଗତସିଂହପୁର: ହାତଗୋଡ଼ ବନ୍ଧା ଯୁବତୀଙ୍କ ମୃତ ଦେହ ଅଖା ଭିତରୁ ଜବତ, ହତ୍ୟା ସନ୍ଦେହ

ପାରାଦୀପ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ କୁଣ୍ଡାଳ ଗ୍ରାମ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି ପୁଲିସ। ଯୁବତୀଙ୍କ ହାତଗୋଡ଼ ବନ୍ଧା ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଯୁବତୀଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଏକ ଅଖାରେ ଭର୍ତ୍ତି କରି ତାଙ୍କ ମୃତଦେହକୁ କୁଣ୍ଡାଳ ଗାଁ ନିକଟ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି କୁଣ୍ଡାଳ ଗାଁ ରାସ୍ତାକଡ଼ରେ ଏକ ଅଖା ଭିତରେ କିଛି ଭର୍ତ୍ତି କରାଯାଇ ଫିଙ୍ଗା ଯାଇଥିବା ସ୍ଥାନୀୟ କିଛି ଲୋକେ ଦେଖିଥିଲେ। କିଛି ସମୟ ପରେ ଲୋକେ ସେଠାରେ ପହଞ୍ଚି ଦେଖିଥିଲେ ଯେ ଅଖା ଭିତରେ ଜଣେ ଯୁବତୀଙ୍କ ମୃତଦେହ ରହିଛି। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଖୋଲିବାରୁ ତା ଭିତରେ ଜଣେ ୨୨/୨୪ ବର୍ଷର ଯୁବତୀଙ୍କ ଗୋଡ଼ ହାତ ଦୃଢ଼ଭାବେ ବନ୍ଧା ଯାଇଥିବା ମୃତଦେହ ଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ସମୟରେ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର