କରୋନା ମାଡରେ ବିଗିଡିଯାଇଛି ପରିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ଶାଗ-ମାଛ ଦରରେ ପରିବା ନେଉଛନ୍ତି ବେପାରି, ପୋକ ଖାଇ ନଷ୍ଟ ହୋଇଗଲାଣି ଅଧା ଫସଲ

ରାଉରକେଲା/ନୂଆଗାଁ: କୁଆପଥର ବର୍ଷା ପରେ କରୋନା ମାଡରେ ଦୋହଲି ଯାଇଛି ଜିଲ୍ଲାର ପରିବାଚାଷୀଙ୍କ ଆର୍ଥିକ ମେରୁଦଣ୍ଡ। ଔଷଧ ମିଳୁ ନଥିବାରୁ ଅଧା ଫସଲ ପୋକଖାଇ ନଷ୍ଟ ହୋଇଯାଇଛି। ଯାହା କିଛି ଫସଲ ଅମଳ ହେଉଛି, ତାହାକୁ ଚା‌-ଚାଷୀମାନେ ବେପାରୀଙ୍କୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ହାଟକୁ ନେବାରେ ବାଧା ସୃଷ୍ଟି ହେଉଥିବାରୁ ବାଧ୍ୟ ହୋଇ କିଛି ଚାଷୀ ଗାଁ ଗାଁରେ ବୁଲି ବିକୁଛନ୍ତି। ଝାଳବୁହା ପରିଶ୍ରମ କରି ଭଲ ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀ କିପରି ପରିବାର ପ୍ରତିପ‌ୋ‌ଷଣ କରିବେ ଚିନ୍ତାରେ ପଢ଼ିଛନ୍ତି।

ସୁନ୍ଦରଗଡ ଜିଲ୍ଲାର ପରିବା ଚାଷର ଭାତ ହାଣ୍ଡି କୁହାଯାଉଥିବା ନୂଆଗାଁରେ ଏଭଳି ସ୍ଥିତି ଉପୁଜିଛି। ବ୍ଲକର ବଡଯୋଜଦା, ଚିତାପେଡି, ସୋରଡା, ବାରିଲେପ୍‌ଟା, ନୂଆଗାଁ, ଉର୍ମେଇ, ବାଗଡେଗା ଆଦି ୧୦ରୁ ଅଧିକ ପଞ୍ଚାୟତରେ ଚାଷୀମାନେ ଚଳିତ ଥର ଶହ ଶହ ଏକର ଜମିରେ ପରିବା ଚାଷ କରିଥିଲେ। ଟମାଟୋ, କାପ୍‌ସିକମ୍‌, ବାଇଗଣ, ତରଭୂଜ, ଲଙ୍କା, ଭେଣ୍ଡି, ଜହ୍ନି, କଲରା, କାକୁଡା ସହ ସୋରିଷ, ଚଣା ଆଦି ଚାଷ କରିଥିଲେ। ଏଥି ମଧ୍ୟରୁ ପ୍ରାୟ ୪୦% କୁଆପଥର ବର୍ଷା ଏବଂ ଏବେ ପୋକଲାଗି ନଷ୍ଟ ହୋଇଯାଇଛି। ଅବଶିଷ୍ଟ ୬୦% ଜମିରୁ ଶହ ଶହ କ୍ବିଣ୍ଟାଲ ପରିବା ଉତ୍ପାଦନ ହେଉଛି। ଯାନବାହନ ବନ୍ଦ ଥିବାରୁ ପରିବା ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟକୁ ଯାଇପାରୁ ନାହିଁ। ଫଳସ୍ବରୂପ ଶହ ଶହ କ୍ବିଣ୍ଟାଲ ପରିବା କ୍ଷେତରେ ଜମା ହୋଇ ରହୁଛି। ଚାଷୀମାନେ ଶସ୍ତାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଉପଯୁକ୍ତ ମୂଲ୍ୟ ମିଳୁ ନାହିଁ।

ସେପଟେ ନିଜ ଉତ୍ପାଦିତ ପରିବାକୁ ଉଚିତ ମୂଲ୍ୟର ବିକିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଚାଷୀମାନେ କୃଷି ଉଦ୍ୟାନ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏଥି ସହ ନୂଆଗାଁ ବିଡିଓଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ବଡଯୋଜଦା ପଞ୍ଚାୟତର ଚାଷୀ ତଥା ପୂର୍ବତନ ସରପଞ୍ଚ ବିର୍ସା ଭେଙ୍ଗରା କହିଛନ୍ତି କରୋନା ପରେ ନୂଆଗାଁ ଚାଷୀଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ମୂଳଧନ ମିଳିବ କି ନାହିଁ ଆଶା ଆଶଙ୍କାରେ ରହିଛନ୍ତି। ବ୍ୟାଙ୍କ, ଲ୍ୟାମ୍ପସ୍‌ ସମେତ ମହିଳା ମଣ୍ଡଳରୁ ଋଣ ନେଇଥିବା ଯୋଗେନ୍ଦ୍ର ସାହୁ, ବାଉନା ମୁଣ୍ଡା, ଚିତାପେଡି, ଚିତାପେଡି ପଞ୍ଚାୟତର ଚାଷୀ ଗଞ୍ଜୁଆ ଓରାମ୍‌, ସୋରଡା ପଞ୍ଚାୟତର ସୁବୋଧ ଦାସ, ବାରିଲେ୍‌ପଟାର ଅନୀଲ ଏକ୍କା ସମେତ ଶତାଧିକ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେପଟେ ନୂଆଗାଁ ବ୍ଲକରେ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଗରିବ ଚାଷୀଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି।

କୌଣସି ଚାଷୀ ଖବର ଦେଲେ ସେମାନେ ଲୋକଦେଖାଣିଆ ଭାବେ କ୍ଷେତକୁ ଯାଇ ବୁଲି ଆସୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏଭଳ ସଙ୍କଟସ୍ଥିତିରେ ଧ୍ୟାନ ଦେବାକୁ ଚାଷୀମାନେ ସରକାରଙ୍କୁ ଗୁହାରି ଜଣାଇଛନ୍ତି। ସୂଚନାଯୋଗ୍ୟ, ନୂଆଗାଁ ଏକ କୃଷି ବହୁଳ ବ୍ଲକ। ପ୍ରାୟ ୮୦% ଲୋକ ପନିପରିବା ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ଶସ୍ୟଜାତୀ ଫସଲ କରିଥାନ୍ତି। ଏଠାରୁ ଉତ୍ପାଦିତ ପନିପରିବା କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାର ବିଭିନ୍ନ ରାଜ୍ୟକୁ ଯାଇଥାଏ।

ସମ୍ବନ୍ଧିତ ଖବର