ପୋକରା ଚାଉଳ ଯୋଗାଣ ଅଭିଯୋଗ ଆଣି ବିଇଓଙ୍କୁ ମାଡ଼ ମାରିଲେ ଗ୍ରାମବାସୀ, ବିଦ୍ୟାଳୟରେ ପକାଇଲେ ତାଲା

ଉମରକୋଟ: ମଧ୍ୟାହ୍ନ ଭୋଜନ ପାଇଁ ପୋକରା ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ଆଣି ଆଜି ଜଣେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଗ୍ରାମବାସୀ ମାଡ଼ ମାରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାରଙ୍କୁ ପୁଜାରୀଗୁଡ଼ା (ୟୁଭି-୯) ଗାଁର କିଛି ଲୋକ ମାଡ଼ ମାରି ଅଭଦ୍ର ଭାଷାରେ ଗାଳି ଦେବା ସହ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଦିନସାରା ସ୍କୁଲରେ ଉତ୍ତେଜନା ଲାଗି ରହିବା ଫଳରେ ଆଜି ପାଠ ପଢ଼ା ହୋଇ ପାରି ନାହିଁ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂଜାରୀଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଅତି ନିମ୍ନମାନର ଥିଲା। ଏ ନେଇ ଗତକାଲି ଗ୍ରାମବାସୀ ବିଇଓଙ୍କୁ ଫୋନ୍‌ ଯୋଗେ ଅଭିଯୋଗ କରିଥିଲେ। ତେବେ ସେହି ସମୟରେ ବିଇଓ ଶ୍ରୀ ସରକାର ନବରଙ୍ଗପୁରରେ ଏକ ବୈଠକରେ ବସିଥିବାରୁ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବାକୁ ଅସମର୍ଥ ଥିଲେ।

ତେବେ ଗ୍ରାମବାସୀ ଆଜି ସକାଳ ୮ଟାରେ ପୁଣି ଥରେ ବିଇଓ ଶ୍ରୀ ବିକାଶଙ୍କୁ ଫୋନ୍‌ କରିବାରୁ ସେ ସ୍ଥାନୀୟ ସିଆରସିସି ଇନ୍ଦ୍ରନୀଳ କରଙ୍କ ସହ ପୂଜାରୀଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ପୂର୍ବାହ୍ନ ୯ଟା ୧୫ରେ ପହଞ୍ଚି ଥିଲେ। କିନ୍ତୁ ବିଇଓ ଓ ସିଆରସିସି ପହଞ୍ଚିବା ପୂର୍ବରୁ ଗାଁ ଲୋକେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିଇଓ ତାଲା ଖୋଲିବାକୁ କହିବାରୁ ଓଲଟା ଅଭଦ୍ର ଭାଷାରେ ଗାଳି ଶୁଣିଥିଲେ।

ଉତ୍ତେଜିତ ଗାଁ ଲୋକେ ବିଦ୍ୟାଳୟର ତାଲା ଖୋଲି ବିଇଓ ଶ୍ରୀ ସରକାରଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ପ୍ରାୟ ୫ ଘଣ୍ଟା ପରେ ବିଇଓଙ୍କୁ ସେମାନେ କୋଠାରୀ ଭିତରୁ ବାହାର କରିଥିଲେ।

ପରେ ବିଇଓ ଶ୍ରୀ ସରକାର ପୂଜାରୀଗୁଡ଼ା ଗାଁର ମିଥୁନ ମଣ୍ଡଳ ଓ ବାସୁଦେବ ସରକାରଙ୍କ ନାଁରେ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଜଣେ ସରକାରୀ ଅଧିକାରୀଙ୍କୁ ସର୍ବସାଧାରଣରେ ମାଡ଼ ମାରିବା ଓ କୋଠାରୀରେ ୫ ଘଣ୍ଟା ବନ୍ଦ ରଖିବାକୁ ନେଇ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର