ପରିଚାଳନାର ଅଭାବ ଯୋଗୁଁ ତଳମୁଣ୍ଡକୁ ପହଞ୍ଚି ପାରୁନି ପାଣି

ମହାନଦୀ ଅବବାହିକା ସମ୍ପର୍କିତ କର୍ମଶାଳା

ସୋନପୁର: ଓଡ଼ିଶା ପରିବେଶ କଂଗ୍ରେସ ୨୦୧୭ ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ମହାନଦୀ ଅବବାହିକା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପରିବେଶ କଂଗ୍ରେସ ଆୟୋଜନ କମିଟିର ସଦସ୍ୟ ଉମି ଡାନିଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ହ୍ୟୁମାନ ଡେଭଲପମେଣ୍ଟ ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜକ ବିଜୟ ପ୍ରଧାନ ମହାନଦୀ ଅବବାହିକାରେ ଜଳ ପ୍ରବାହକୁ ନେଇ ରହିଥିବା ଅସୁବିଧା ତଥା ମତାମତ ସମ୍ପର୍କରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ଥିବା ପ୍ରକାଶ କରିଥିଲେ। ହୀରାକୁଦ ଡ୍ୟାମ୍‌ ଅଞ୍ଚଳର ବରିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡା ଜଳର ଉପଯୁକ୍ତ ପରିଚାଳନାର ଅଭାବଯୋଗୁଁ ହୀରାକୁଦ ନଦୀ ବନ୍ଧର ନିମ୍ନଭାଗର ଜଳସେଚିତ ଜମିକୁ ଜଳ ପହଞ୍ଚି ପାରୁ ନାହିଁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବରପାଲି କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଭାସ ରଥ, କ୍ଷୁଦ୍ର ଜଳସେଚନ ବିଭାଗ ସୁବର୍ଣ୍ଣପୁରର ନିର୍ବାହୀ ଯନ୍ତ୍ରୀ କିଶୋର ଆଚାର୍ଯ୍ୟ, ତେଲନଦୀ ଜଳସେଚନ ସୁବର୍ଣ୍ଣପୁରର ନିର୍ବାହୀ ଯନ୍ତ୍ରୀ କୈଳାସ ସାହୁୁ, ଜିଲ୍ଲା ଜଳ ଓ ପରିମଳ ମିସନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିପିନ ବିହାରୀ ଦାଶ, ଜନ ସ୍ୱାସ୍ଥ୍ୟ ଉପଖଣ୍ଡ ସୁବର୍ଣ୍ଣପୁରର କନିଷ୍ଠ ଯନ୍ତ୍ରୀ ଦୀପକ ମେହେର,ଏକସନ ଏଡର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା ପ୍ରମୁଖ ଯୋଗ ଦେଇ ମହାନଦୀ ଜଳ ପରିଚାଳନା ପାଇଁ ବ୍ୟାରେଜର ଆବଶ୍ୟକତା ତଥା ଜନସାଧାରଣଙ୍କ ସାମୂହିକ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ହରପ୍ରସାଦ ରଥ, ବ୍ରଜମୋହନ ଦାନୀ, ବ୍ୟୋମକେଶ ଦାଶ, ଇନ୍ଦ୍ରମଣି ଦାଶ, କୃଷକନେତା ରାଜେନ୍ଦ୍ରକୁମାର ନାୟକ ଓ ସୋନପୁର କଲେଜର ଛାତ୍ର ତଥା ଜିଲ୍ଲାର ବିିଭିନ୍ନବ୍ଳକର ଚାଷୀ, ମତ୍ସ୍ୟଜୀବୀ ଓ ଯୁବକ ସଂଘର ସଭ୍ୟମାନେ ଯୋଗଦେଇ ମହାନଦୀର ଗତି ପରିବର୍ତ୍ତନ, ପ୍ରଦୂଷଣ, ମୃତ୍ତିକାକ୍ଷୟ, ଜଳର ଅଭାବ ତଥା ଏଥିପାଇଁ ଦେଖା ଯାଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ମହାନଦୀ ଅବବାହିକାରେ ବ୍ୟାପକ ରୂପେ ବୃକ୍ଷରୋପଣ, ସୋନପୁରଠାରେ ମହାନଦୀ ଜଳକୁ ବ୍ୟବହାର କରି ଜଳସେଚନର ସୁବିଧା କରିବା, ଯେଉଁଠି ମହାନଦୀର ତଟ ଦେଶ ବିପଦ ସଙ୍କୁଳ ଅବସ୍ଥାରେ ଅଛି ସେହିସ୍ଥାନକୁ ପଥରରେ ବାନ୍ଧିବା ନଦୀତଟ କ୍ଷୟକୁ ରୋକିବା, ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟିକରିବା, ମହାନଦୀ ତଟସ୍ଥ ସହରାଞ୍ଚଳଗୁଡିକ ନର୍ଦ୍ଦମା ପାଣିକୁ ମହାନଦୀ ଗର୍ଭକୁ ନଛାଡିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା, ମହାନଦୀର ପ୍ରଦୂଷିତ ଜଳକୁ ବିଶୁଦ୍ଧୀକରଣ କରିବା, ଅନ୍ତଃରାଜ୍ୟ ନଦୀ ଜଳବିବାଦ ଆଇନ ପ୍ରଣୟନକୁ ସୁନିଶ୍ଚିତ କରିବା, ମହାନଦୀ ପଠାରୁ ବାଲି ଚୋରା ଚାଲାଣକୁ ରୋକିବା ଏବଂ ମହାନଦୀ ପଠାରେ ନିର୍ମାଣ ତଥା ଜବର ଦଖଲକୁ ଉଛେଦ କରିବା ସମ୍ପର୍କରେ ମତ ପ୍ରକାଶ ପାଇଥିଲା। ଆୟୋଜକ ‘ରେଆର’ର ସଭାପତି ଗୌରିଶ୍ୟାମ ପଣ୍ଡା ସ୍ୱାଗତ ଭାଷଣ ଏବଂ ସାଧାରଣ ସମ୍ପାଦକ ଆଶୁତୋଷ ହୋତା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର